ରିପୋର୍ଟ କାର୍ଡ / ଭୁବନେଶ୍ୱର
ପବିତ୍ର ଅକ୍ଷୟ ତୃତୀୟ ଦିନ ଅର୍ଥାତ ଗତକାଲି ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପ୍ରସିଦ୍ଧ ବାହାର ଚନ୍ଦନ ଯାତ୍ରା। ପାରମ୍ପରିକ ରୀତିନୀତିରେ ପ୍ରଭୁ ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ରାମ, କୃଷ୍ଣ ଓ ପଞ୍ଚୁପାଣ୍ଡବ ଶ୍ରୀମନ୍ଦିରରୁ ମଣିବିମାନରେ ଆସି ନରେନ୍ଦ୍ର ସରୋବର ନିକଟରେ ପହଞ୍ଚିଥିଲେ। ସେଠାରେ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ଠାକୁରମାନେ ନୌକାରେ ବସି ଚାପ ଖେଳିଥିଲେ। ଚନ୍ଦନ ଯାତ୍ରା ନିମନ୍ତେ ଶ୍ରୀମନ୍ଦିରରେ ଅକ୍ଷୟ ତୃତୀୟା ପୂର୍ବ ରାତ୍ରରୁ ରୂପା ପିଙ୍ଗଣରେ ଭୋଗ ମଣ୍ଡପରେ ସୁବାସିତ, ସୁଶୀତଳ ଚନ୍ଦନକୁ ରଖାଯାଇଥିଲା। ସକାଳ ହେବାରୁ ଠାକୁରଙ୍କ ନିକଟରେ ସକାଳ ଧୂପ, ମଇଲମ ଏବଂ ମହାସ୍ନାନ କରାଯାଇଥିଲା। ଏଡାପରେ ଘଣ୍ଟ, ଛତା, କାହାଳୀ ସହ ପଟୁଆର ବାହାରି ଥିଲା। ଯାହା ଶ୍ରୀମନ୍ଦିରକୁ ତିନିଥର ପରିକ୍ରମଣ ପରେ ପିଙ୍ଗଣଗୁଡ଼ିକୁ ରତ୍ନ ସିଂହାସନ ଉପରେ ସ୍ଥାପନ କରାଯାଇଥିଲା। ପୂଜାପଣ୍ଡା, ପୁଷ୍ପାଳକ ଓ ପତିମହାପାତ୍ର ସେବକଙ୍କ ଦ୍ୱାରା ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲାଗି ପରେ ମଲିଫୁଲ ପ୍ରଭୃତି ଲାଗି କରାଯାଇଥିଲା। ଶୀତଳ ଚନ୍ଦନ ଉପଚାର ସହ ମହାପ୍ରଭୁଙ୍କ ଜଳକ୍ରୀଡ଼ା ନିମିତ୍ତ ୨୧ ଦିନ ଚନ୍ଦନ ସରୋବର ନରେନ୍ଦ୍ରକୁ ଶ୍ରୀମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ, କୃଷ୍ଣ ପ୍ରତିନିଧି ବିଗ୍ରହମାନଙ୍କ ଯାତ୍ରାରମ୍ଭ ହୋଇଥିଲା। ସେଠାରେ ଜଳକ୍ରୀଡ଼ା ପରେ ବିଗ୍ରହମାନଙ୍କୁ ଜଳକୁଣ୍ଡରେ ନିମଜ୍ଜିତ କରାଯାଇଥିଲା। ସେଠାରେ ଦିନ ଚାପ ଓ ରାତ୍ରି ଚାପରେ ଜଳକ୍ରୀଡ଼ା ହୋଇଥିଲା। ଏହାପରେ ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ। ଆଗକୁ ପ୍ରତିଦିନ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଜାତଭୋଗ ପରେ ଚଳନ୍ତି ପ୍ରତିମାମାନେ ଚନ୍ଦନଯାତ୍ରା ନିମନ୍ତେ ଏଠାକୁ ଆସି ଚାପ ଖେଳିବେ ବୋଲି ସୂଚନା ଦିଆଯାଇଛି।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..