ରିପୋର୍ଟ କାର୍ଡ / ମୟୁରଭଞ୍ଜ
ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଗୋପବନ୍ଧୁନଗର ବ୍ଲକ୍ ଜୟପୁର ଗ୍ରାମର ଲକ୍ଷ୍ମୀଧର ବାରିକଙ୍କ ପୁଅ ଶୁଭାଶିଷ ଙ୍କୁ ଗତ ରବିବାର ରାତିରେ ହତ୍ୟା କରାଯାଇଥିବା ନେଇ ଉଦଳା ଥାନାରେ ଅଭିଯୋଗ ହୋଇଥିଲା। ଉଦଳା ପୋଲିସ ତତ୍ପରତା ଦେଖାଇ ହତ୍ୟାକାଣ୍ଡର ୪୮ ଘଣ୍ଟା ନପୂରୁଣୁ ଅଭିଯୁକ୍ତଙ୍କୁ ଗିରଫ କରିଛି । ପ୍ରେମ ଓ ଅନୈତିକ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ଘଟିଥିବା ବେଳେ ପ୍ରେମିକାର ବାପା ନବୀନ ଆଚାର୍ଯ୍ୟ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏ ନେଇ ଉପଖଣ୍ଡ ପୋଲିସ ଅଧିକାରୀ ସାର୍ଥକ ରାୟ ଓ ତଦନ୍ତ ଦୟିତ୍ୱରେ ଥିବା ଉଦଳା ଥାନା ଅଧିକାରୀ ନୀରଜ କୁମାର ସାମଲ ଏକ ସାମ୍ୱାଦିକ ସମ୍ମିଳନୀରେ ଘଟଣା ବାବଦରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ-ଗତ ରବିବାର ସକାଳୁ ବଉଳଶାସନ ଗ୍ରାମର ନବୀନ ଆଚାର୍ଯ୍ୟଙ୍କ ଘର ପଛପଟୁ ଶୁଭାଶିଷଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ପୋଲିସ କେସ୍ ନଂ ୧୩୫/୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ନବୀନଙ୍କ ଝିଅ ସହିତ ଶୁଭାଶିଷଙ୍କ ପ୍ରେମ ସମ୍ପର୍କ ରହିଥିବା ପୋଲିସ ଜାଣିବାକୁ ପାଇବା ପରେ ନବୀନଙ୍କ ପରିବାରକୁ ତଦନ୍ତ ପରିସରଭୁକ୍ତ କରିଥିଲା ପୋଲିସ । ପରିବାରର ସମସ୍ତଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିଥିଲା ବେଳେ ପ୍ରଥମରୁ ସମସ୍ତେ ପୋଲିସ କୁ ଭୂଆଁ ବୁଲାଇ ଚାଲିଥିଲେ। ତେବେ ମାରାଥନ ଜେରା ପରେ ନବୀନଙ୍କ ଝିଅ ସବୁ ସତକଥା ଓଗାଳି ଦେଇଥିଲା। କୁଆମରା ଡିଗ୍ରି କଲେଜରେ ଉଭୟ ପାଠ ପଢୁଥିବା ବେଳେ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗତ ଶନିବାର ରାତିରେ ନବୀନଙ୍କ ଝିଅ ପାଖରୁ ଫୋନ୍ କଲ୍ ପାଇ ଶୁଭାଶିଷ ତାଙ୍କ ଘର ଅଭିମୁଖେ ବାହାରିଥିଲେ। ବାଟରେ ଜୟପୁର ଛକରୁ ଗୁପ୍ଚୁପ୍ ଓ ଚାଟ୍ ନେଇ ରାତି ପ୍ରାୟ ୧୨ଟା ସମୟରେ ସେ ନବୀନଙ୍କ ଘରେ ପହଞ୍ଚିଥିଲେ। ତେବେ ସେଦିନ ରାତିରେ ନବୀନ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିବା ପରେ ଶୁଭାଶିଷଙ୍କୁ ନିଜ ଝିଅ ସହ ଅସଂଜତ ଅବସ୍ଥାରେ ଦେଖି ଉତକ୍ଷିପ୍ତ ହୋଇ ଏକ ଲୁହାରଡ୍ରେ ଆକ୍ରମଣ କରିଥିଲେ। ସେ ଶୁଭାଶିଷଙ୍କ ଗୁପ୍ତାଙ୍ଗକୁ ଶକ୍ତ ପ୍ରହାର କରିଥିଲା ବେଳେ ଶୁଭାଶିଷ କିଛି ବାଟ ଦୌଡି ପଳାଇଥିଲେ ବି ଗୁରୁତର ଆଘାତ ଯୋଗୁ ବେଶୀ ଦୂର ଯାଇ ନପାରି ପ୍ରାଣ ହରାଇଥିଲେ। ପୋଲିସ ଆଜି ଅଭିଯୁକ୍ତଙ୍କ ଘର ଭିତରୁ ଆକ୍ରମଣରେ ବ୍ୟବହୃତ ଲୁହାରଡ୍ ଓ ରକ୍ତଭିଜା ଗାମୁଛା ଜବତ କରିଛି। ଏଥିସହ ନବୀନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।






More Stories
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ମା’କୁ ଜାଳିଦେଲେ ପୁଅ…..
KIIT ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର,ଦୋଷୀକୁ କ୍ଷମା ନାହିଁ……