ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ବ୍ୟାଟେରୀ ଚାଳିତ ବା ଇ-ବସ୍ ସେବା | ଏହି ସେବାକୁ ମୋ ବସ’ ସେବାରେ ସାମିଲ କରାଯିବ | ଏଥିପାଇଁ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ‘ମୋ ବସ୍ ’ ସେବା ଯୋଗାଉଥିବା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ବା ‘କ୍ରୁଟ୍ ’ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଶ୍ରୀ ଜେନା ଆଜି ରାଜ୍ୟରେ ମୋ ବସ୍ ସେବାର ସମୀକ୍ଷା କରି କହିଛନ୍ତି ଯେ ରାଜଧାନୀରେ ‘ମୋ ବସ୍’ ସେବା ଏବେ ସାଧାରଣ ଲୋକଙ୍କ ପାଇଁ ଆରାମଦାୟକ ପରିବହନ ବ୍ୟବସ୍ଥା ହୋଇଛି। ଏବେ ୩୨ଟି ରୁଟରେ ମୋଟ ୨୨୫ଟି ବସରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପିପିଲି, କୋଣାର୍କ ଓ ପୁରୀ ଭଳି ସହରରେ ଦୈନିକ ୧.୫ଲକ୍ଷ ଯାତ୍ରୀ ଯାତାୟତ କରୁଛନ୍ତି । ଏହି ସବୁ ବସଗୁଡ଼ିକ ସୁବ୍ୟବସ୍ଥିତ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେଉଛି। ତେବେ ପରିବର୍ତ୍ତିତ ପରିସ୍ଥିତିରେ ଏଥିରେ ବ୍ୟାଟେରୀଚାଳିତ ବା ଇ-ବସ୍ ସାମିଲ କରିବାକୁ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି। ୨୦୧୯ ମସିହାରୁ ପ୍ରତିବର୍ଷ ଦୈନିକ ଯାତ୍ରୀ ପରିବହନ ସଂଖ୍ୟା ବୃଦ୍ଧି ପାଇବା ସହ ରାଜସ୍ୱ ମଧ୍ୟ ବୃଦ୍ଧି ପାଇଛି । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏବେ ଇ-ରିକ୍ସା ସେବା ମଧ୍ୟ ଆରମ୍ଭ ହୋଇଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୨୦୦ ଯାତ୍ରୀ ଅପେକ୍ଷା ପାଇଁ ଆଶ୍ରୟ ସ୍ଥଳୀ ନିର୍ମାଣ ହୋଇଛି । ପଟିଆ ଓ ଭଗବାନପୁରରେ ଅତ୍ୟାଧୁନିକ ବସ୍ ଡିପୋ ନିର୍ମିତ ହୋଇଥିବାବେଳେ ଗାଡ଼କଣ, ପୋଖରୀପୁଟ ଓ ନରାଜ ଠାରେ ଡିପୋ୍ ଓ ଅଫିସ୍ ନିର୍ମାଣ କାର୍ଯ୍ୟ ଚାଲିଛି । କ୍ୟାପିଟାଲ ରିଜିଅନର ବିଭିନ୍ନ ଆଭ୍ୟନ୍ତରୀଣ ଅଂଚଳରେ ପ୍ରାୟ ୧୦୦ଟି ମିନି ବସ୍ ଚଳାଚଳ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।






More Stories
ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳଙ୍କୁ ଦୂରେଇ ରଖାଯାଉଛି,ପୁରୁଣା ପରମ୍ପରା ଭାଙ୍ଗିଦେଉଛନ୍ତି……
ପୁରୁଣା ଆପାର୍ଟମେଣ୍ଟ ବିକ୍ରି ପ୍ରକ୍ରିୟା ସହଜ କଲେ ରାଜ୍ୟ ସରକାର…..
ଆଜି କାଉଣ୍ଟରରେ ଟିକଟ ବିକ୍ରି……