ରିପୋର୍ଟ କାର୍ଡ / ସମ୍ବଲପୁର
ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଅତିରିକ୍ତ ତହସିଲଦାର ସାରଦା ମହାରଣା ଗିରଫ ହୋଇଛନ୍ତି । ଠିକାଦାରଙ୍କଠାରୁ ଲକ୍ଷେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ ସ ଟିମ୍ ତାଙ୍କୁ ଗିରଫ କରିଛି । ତାଙ୍କ ଅଫିସ, କୁଚିଣ୍ଡାସ୍ଥିତ ସରକାରୀ ବାସଭବନ ସହିତ ରାଉରକେଲାସ୍ଥିତ ଘରେ ଚଢ଼ଉ କରିଛି ଭିଜିଲାନ୍ସ । ସାରଦାଙ୍କ କାର୍ଯ୍ୟାଳୟର ଡ୍ରରୁ ୨୧ ହଜାର ୧୪୦ ଟଙ୍କା ଏବଂ ତାଙ୍କ ସରକାରୀ ବାସଭବନରୁ ୨ ଲକ୍ଷ ୮୨ ହଜାର ୪୭୦ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି। ଖବର ଅନୁଯାୟୀ, ଅଶୋକ ପଟେଲ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏକ ଲକ୍ଷ କୋଡ଼ିଏ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ ସ ଟିମ୍ ଅତିରିକ୍ତ ତହସିଲଦାରଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଧରିଥିଲେ। ଅଶୋକ ପଟେଲ୍ ଜୁନାନୀ ପଣ୍ଡକିମାଲ ସଂରକ୍ଷିତ ଜଙ୍ଗଲରେ ଗଛ କାଟି ପୋଖରୀ ଖୋଳିଛନ୍ତି। ଝାରସୁଗୁଡ଼ାର ବିଭିନ୍ନ କାରଖାନାରୁ ବାହାରୁଥିବା ପାଉଁଶ ଠିକା ନେଇଥିବା ସଂସ୍ଥା ଏଠାରେ ପକାଇବାକୁ ଯୋଜନା କରିଥିଲେ। ୧୫ ଦିନ ତଳେ ଖୋଳାଯାଇଥିବା ମାଟି ବିକ୍ରି କରିବାକୁ ହାଇୱାରେ ଭର୍ତ୍ତି କରି ନିଆଯାଉଥିବା ବେଳେ ଉପଜିଲ୍ଲାପାଳଙ୍କ ପରାମର୍ଶକ୍ରମେ ଅତିରିକ୍ତ ତହସିଲଦାର ଚଢ଼ଉ କରି ଗାଡ଼ି ଓ ଜେସିବିକୁ ଜବତ କରି କୁଚିଣ୍ଡା ଥାନାରେ ରଖିଥିଲେ। ଏହି ଘଟଣାରେ ତାଙ୍କୁ ୫ ଲକ୍ଷ ଟଙ୍କାର ଜରିମାନା କରାଯାଇଥିଲା। ଏହି ଜରିମାନା ଅର୍ଥ କମ୍ କରିବାକୁ ଏବଂ ଗାଡ଼ିକୁ ଛାଡ଼ିଦେବାକୁ ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ଦେବାକୁ ଦର ଛିଣ୍ଡିଥିଲା। ଏହି ଲାଞ୍ଚ ବାବଦ ଅର୍ଥ ଦେଉଥିବା ସମୟରେ ଭିଜିଲାନ୍ ସ ଟିମ୍ ଚଢ଼ଉ କରି ଉକ୍ତ ଟଙ୍କାକୁ ଜବତ କରିଛି ।






More Stories
ଆସିଲା ସୁଭଦ୍ରା ଟଙ୍କା…..
ଶ୍ରୀମନ୍ଦିରକୁ ବୋମା ଧମକ ଦେଇଥିବା ଅଭିଯୁକ୍ତ ଗିରଫ…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..