Report Card Odisha

| Daily Odia News

ଦେଶଦ୍ରୋହ ଆଇନରେ‌ ବ୍ରେକ୍ ଲଗାଇଲେ ସୁପ୍ରିମ କୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗତ କିଛି ବର୍ଷ ଧରି ବିବାଦୀୟ ହୋଇପଡ଼ିଥିବା ଦେଶଦ୍ରୋହ ଆଇନ ଉପରେ ବ୍ରେକ୍ ଲଗାଇଛନ୍ତି ସୁପ୍ରିମ କୋର୍ଟ। କେନ୍ଦ୍ର ସରକାର ଏହି ମାମଲାର ସମୀକ୍ଷା ପ୍ରକ୍ରିୟା ସଂପୂର୍ଣ୍ଣ କରିବା ପର୍ଯ୍ୟନ୍ତ କାହା ବିରୋଧରେ ଦେଶଦ୍ରୋହ ମାମଲା ଦାୟର କରାଯାଇପାରିବ ନାହିଁ। ମାମଲାର ବିଚାରପ୍ରକ୍ରିୟାକୁ ମଧ୍ୟ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ‌ଏସଂପର୍କରେ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାରଙ୍କୁ ସୁପ୍ରିମ କୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଏହା ସହିତ ସ୍ପଷ୍ଟ କରିଦେଇଛନ୍ତି ଯେ ଏହି ମାମଲାରେ ଯେଉଁମାନେ ଜେଲରେ ଅଛନ୍ତି, ସେମାନେ ଜାମିନ ପାଇଁ କୋର୍ଟରେ ଆବେଦନ କରିପାରିବେ। ସର୍ବୋଚ୍ଚ ଅଦାଲତଙ୍କର ଏହି ନିର୍ଦ୍ଦେଶ ହଜାର ହଜାର ଲୋକଙ୍କୁ ଆଶସ୍ତି ମିଳିବ । କୁହାଯାଉଛି ଯେ ଏବେ ସାରା ଦେଶରେ ୮୦୦ରୁ ଅଧିକ ଦେଶଦ୍ରୋହ ମାମଲା ବିଚାରାଧୀନ ରହିଛି ଏବଂ ପ୍ରାୟ ୧୩ ହଜାର ଲୋକ ଜେଲରେ ଅଛନ୍ତି| ପ୍ରଧାନ ବିଚାରପତି ଜଷ୍ଟିସ ଏନ୍.ଭି. ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ତିନି ଜଣିଆ ବେଞ୍ଚ ବୁଧବାର ଏଭଳି ଐତିହାସିକ ରାୟ ଶୁଣାଇଛନ୍ତି। ଦେଶଦ୍ରୋହ ଆଇନର ବ୍ୟାପକ ଦୁରୁପଯୋଗ ହେଉଥିବାରୁ ଏହାକୁ ଚାଲେଞ୍ଜ କରି ଆଗତ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ବେଞ୍ଚ କହିଛନ୍ତି ଯେ ମାମଲାର ସମୀକ୍ଷା ନହେବା ପର୍ଯ୍ୟନ୍ତ କେନ୍ଦ୍ର ଏବଂ ସବୁ ରାଜ୍ୟ ସରକାର ଏଭଳି ଦଫା ଲଗାଇବାରୁ କ୍ଷାନ୍ତ ରହିବେ ବୋଲି ଆଶା କରାଯାଉଛି। ବେଞ୍ଚରେ ଥିବା ଅନ୍ୟ ଦୁଇ ଜଣ ବିଚାରପତି ହେଲେ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲି। ପ୍ରଧାନ ବିଚାରପତି ଜଷ୍ଟିସ ରମଣା କହିଲେ, ଆଇପିସିର ଧାରା ୧୨୪ଏ ଦେଶଦ୍ରୋହ ଆଇନ ର ସମୀକ୍ଷା କରିବା ଲାଗି କେନ୍ଦ୍ର ସରକାର ରାଜି ହୋଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଏଭଳି ଆଇନ ଠିକ୍ ନୁହେଁ ବୋଲି କେନ୍ଦ୍ର ମଧ୍ୟ ସହମତ। ତେଣୁ ଆଶା କରାଯାଉଛି ଯେ ଉକ୍ତ ଆଇନର ସମୀକ୍ଷା ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ଏହି ଦଫାରେ କୌଣସି ଏଫ୍‌ଆଇଆର୍ ଦାଖଲ ହେବ ନାହିଁ କି କୌଣସି ବଳପୂର୍ବକ କାର୍ଯ୍ୟାନୁଷ୍ଠାନ କରାଯାଇପାରିବ ନାହିଁ। ମାମଲାର ତଦନ୍ତ ପ୍ରକ୍ରିୟା ମଧ୍ୟ ବନ୍ଦ ରହିବ। ଯେଉଁମାନେ ଏହି ମାମଲ‌ା ଯୋଗୁଁ ଜେଲରେ ଅଛନ୍ତି ସେମାନେ ଜାମିନ ପାଇଁ କୋର୍ଟରେ ଆବେଦନ କରିପାରିବେ। କେନ୍ଦ୍ର ସରକାର ଏସଂପର୍କରେ ରାଜ୍ୟମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇପାରିବେ। କୋର୍ଟ ଆହୁରି କହିଛନ୍ତି ଯେ ଦଫା ୧୨୪ଏରେ ଯଦି କୌଣସି ସାନି ମାମଲା ଦାୟର ହୁଏ, ତାହାହେଲେ ସଂପୃକ୍ତ ବ୍ୟକ୍ତି ଆଶ୍ବସ୍ତି ପାଇଁ କୋର୍ଟର ଆଶ୍ରୟ ନେଇପାରିବେ। ଏଭଳି ପରିସ୍ଥିତିରେ ସୁପ୍ରିମ କୋର୍ଟଙ୍କ ଆଦେଶ ଏବଂ ଭାରତ ସରକାରଙ୍କ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି କୋର୍ଟ ଆଶ୍ବସ୍ତି ପ୍ରଦାନ କରିବେ। ସୂଚନାଯୋଗ୍ୟ ଯେ ମାମଲାର ଶୁଣାଣି ଆରମ୍ଭ‌ରେ ଭାରତ ସରକାର ଦେଶଦ୍ରୋହ ମାମଲା (ଦଫା ୧୨୪ଏ) ସପକ୍ଷରେ ଯୁକ୍ତି ଦର୍ଶାଇଥିଲେ। ତେବେ ଗତ ସେମାବାର ଦିନ ସୁପ୍ରିମ କୋର୍ଟରେ ତାଙ୍କର ମତ ବଦଳାଇ ଦେଶଦ୍ରୋହ ମାମଲାର ସମୀକ୍ଷା କରାଯିବ ବୋଲି ପ୍ରତିଶ୍ରୁତି ‌େଦଇଥିଲେ। ତେବେ ସମୀକ୍ଷା/ସଂଶୋଧନ ନହେବା ପର୍ଯ୍ୟନ୍ତ ଏହି ମାମଲାକୁ ସ୍ଥଗିତ ରଖିବ‌ା ଲାଗି ଆବେଦନକାରୀଙ୍କ ଯୁକ୍ତିକୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବିରୋଧ କରିଥିଲେ। ସେ କହିଥିଲେ ଯେ ଏହି ମାମାଲା ଉପରୋ ରୋକ୍ ଲଗାଇବା ଠିକ୍ ହେବନାହିଁ। କିନ୍ତୁ ଦେଶଦ୍ରୋହ ମାମଲାର ଦାୟର ହୋଇପାରିବ କି ନାହିଁ ତାହା କେବଳ ଏସ୍‌ପି ସ୍ତରୀୟ ପୁଲିସ ଅଧିକାରୀ ନିଷ୍ପତ୍ତି ନେଇପାରିବେ। ଏଭଳି ସୁରକ୍ଷା ବ୍ୟବସ୍ଥା ରଥାଯାଉ। କିନ୍ତୁ ମାନ୍ୟବର ବେଞ୍ଚ ତାଙ୍କ ଯୁକ୍ତିକୁ ଅଗ୍ରାହ୍ୟ କରି ସମଗ୍ର ଦେଶଦ୍ରୋହ ମାମଲାକୁ ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଥିଲେ।

Breaking News