Report Card Odisha

| Daily Odia News

ଶ୍ରୀଲଙ୍କା କୁ ୨୦୦ କୋଟି ଟଙ୍କାର ସହାୟତା କଲା ଭାରତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଶ୍ରୀଲଙ୍କା ଭାରତଠାରୁ ୨ ବିଲିୟନ୍‌ ମୂଲ୍ୟର ମାନବୀୟ ସହାୟତା ପାଇବା ପରେ ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମସିଂଘେ ଭାରତବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ରବିବାର ଚାଉଳ, ଜୀବନ-ରକ୍ଷାକାରୀ ଔଷଧ ଏବଂ ଗୁଣ୍ଡଦୁଗ୍ଧ ଆଦି ନେଇ ଭାରତୀୟ ଜାହାଜ ଶ୍ରୀଲଙ୍କା ବନ୍ଦରରେ ପହଞ୍ଚିଥିଲା। ଭାରତ କହିଛି ଯେ, ଶ୍ରୀଲଙ୍କାର ଯୁଗ ଯୁଗର ବିଶ୍ବସ୍ତ ବନ୍ଧୁ ଭାବେ ନୂଆଦିଲ୍ଲୀ ଦ୍ବୀପ ଦେଶ ଶ୍ରୀଲଙ୍କାର ଗଣତନ୍ତ୍ର, ସ୍ଥିରତା ଏବଂ ଆର୍ଥିକ ସୁଧାର କ୍ଷେତ୍ରରେ ପୂର୍ଣ୍ଣ ସହାୟକ ହେବ।ଏ ସଂକ୍ରାନ୍ତରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମସିଂଘେ ଲେଖିଛନ୍ତି: ଗୁଣ୍ଡଦୁଗ୍ଧ, ଚାଉଳ ଏବଂ ଔଷଧ ସମେତ ଆଜି ଶ୍ରୀଲଙ୍କା ଭାରତରୁ ୨ ବିଲିୟନ୍‌ ମୂଲ୍ୟର ମାନବୀୟ ସହାୟତା ଗ୍ରହଣ କରିଛି। ସହାୟତା ଯୋଗାଇ ଦେଇଥିବାରୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଏବଂ ଭାରତବାସୀଙ୍କୁ ଆମର କୃତଜ୍ଞତା। ୯,୦୦୦ ମେଟ୍ରିକ୍‌ ଟନ୍‌ ଚାଉଳ, ୫୦ ମେଟ୍ରିକ୍‌ ଟନ୍‌ ଗୁଣ୍ଡଦୁଗ୍ଧ, ୨୫ ମେଟ୍ରିକ୍‌ ଟନ୍‌ ଔଷଧ ଏବଂ ଅନ୍ୟାନ୍ୟ ଔଷଧୀୟ ସାମଗ୍ରୀ ଧରି ମେ ୧୮ ତାରିଖ ଦିନ ଚେନ୍ନାଇରୁ ଉକ୍ତ ଜାହାଜଟି ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରିଥିଲା। ତାମିଲନାଡୁ ସରକାର ଉକ୍ତ ସହାୟତା ପଠାଇଥିବାରୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ପତାକା ହଲାଇ ଜାହାଜର ଶୁଭଯାତ୍ରା କାମନା କରିଥିଲେ। ଶ୍ରୀଲଙ୍କାରେ ଥିବା ଭାରତର ହାଇକମିସନ୍ ମଧ୍ୟ ଟୁଇଟ୍‌ କରି କହିଛନ୍ତି, ଭାରତବାସୀଙ୍କଠାରୁ ଶ୍ରୀଲଙ୍କାବାସୀଙ୍କ ପ୍ରତି ତତ୍ତ୍ବାବଧାରଣର ବାର୍ତ୍ତା। ଆଜି କଲମ୍ବୋରେ ବୈଦେଶିକ ପ୍ରଫେସର୍‌ ଜି.ଏଲ୍‌. ପେଇରିସ୍‌ଙ୍କୁ ହାଇକମିସନର୍‌ ‘ଏସ୍‌ଏଲ୍‌ଆର୍‌ ୨ ବିଲିୟନ୍‌’ରୁ ଊର୍ଦ୍ଧ୍ବ ମୂଲ୍ୟର ଚାଉଳ, ଗୁଣ୍ଡଦୁଗ୍ଧ ଓ ଔଷଧ ହସ୍ତାନ୍ତର କରିଛନ୍ତି। ଶ୍ରୀଲଙ୍କାର କେତେକ ମନ୍ତ୍ରୀ ଯୋଗ ଦେଇଥିବା ଉତ୍ସବରେ କହିଲା ବେଳେ ବୈଦେଶିକ ମନ୍ତ୍ରୀ ପେଇରିସ୍‌ କହିଲେ, ଏହା ପୂର୍ବରୁ ଭାରତ ଏତେ ପରିମାଣର ସହାୟତା କେଉଁଠାକୁ ପଠାଇନାହିଁ। ସେମାନେ ଆମକୁ ଆହୁରି ସହାୟତା ପ୍ରଦାନ କରିବେ ଯେଉଁଥି ପାଇଁ ଆମେ କୃତଜ୍ଞ ରହିବା। ଏପର୍ଯ୍ୟନ୍ତ ଭାରତ ୪.୫ ବିଲିୟନ୍‌ ଆମେରିକୀୟ ଡଲାର୍‌ ମୂଲ୍ୟର ସହାୟତା ଯୋଗାଇ ସାରିଲାଣି।

 

Breaking News