Report Card Odisha

| Daily Odia News

ପ୍ରଣବ ପ୍ରକାଶ ଦାସ ଓ ସଞ୍ଜୟ ଦାସବର୍ମାଙ୍କ ନାଁରେ ମାମଲା ରୁଜୁ …..

ରିପୋର୍ଟ କାର୍ଡ / ନବରଙ୍ଗପୁର

ଦଳିତଙ୍କୁ ଅସଦାଚରଣ ଅଭିଯୋଗରେ ବିଜେଡିର ସାଂଗଠନିକ ସମ୍ପାଦକ ତଥା  ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି | ୨୦୨୧ ମସିହାରେ ଚାଷୀ ଓ ଆଦିବାସୀଙ୍କୁ ଉଭୟ ଦୁର୍ବ୍ୟବହାର କରିଥିବାରୁ ସେମାନଙ୍କ ବିରୋଧରେ ମାମଲା ରୁଜୁ ସହ ତଦନ୍ତ କରିବାକୁ ନବରଙ୍ଗପୁର ସେସନ୍ସ ଜଜ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକ୍ରମେ ଉଭୟଙ୍କ ନାମରେ ନବରଙ୍ଗପୁର ଥାନାରେ ମାମଲା ରୁଜୁ ହୋଇଛି। ନବରଙ୍ଗପୁର ଥାନାରେ ଉଭୟଙ୍କ ନାଁରେ ଆଇପିସିର ଧାରା ୧୪୩, ୩୨୩, ୩୫୪, ୧୪୯, ୩(୧) ଓ ଏସ୍‌ସି/ଏସ୍‌ଟି ଆଇନ ଅନୁଯାୟୀ ମାମଲା କରାଯାଇ ଥିବା ଜଣାପଡିଛି | ୨୦୨୧ ମସିହା ଫେବୃଆରୀ ୨ ତାରିଖରେ ପ୍ରଣବ ଓ ସଞ୍ଜୟ ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ପରିସରରେ କୃଷକ ସୂଚନା କେନ୍ଦ୍ର ଉଦଘାଟନୀ କାର୍ଯ୍ୟରେ ଯୋଗଦେବାକୁ ଆସିଥିଲେ। ସେମାନଙ୍କ ସହ ଶତାଧିକ ବିଜେଡି କର୍ମୀ ମଧ୍ୟ ଶୋଭାଯାତ୍ରା କରି ସେଠାରେ ପହଞ୍ଚିଥିଲେ। ଉଭୟ ଆସିବା ବେଳେ କୃଷକଙ୍କ ସମସ୍ୟା ଓ ମଣ୍ଡିରୁ ଧାନ ଉଠୁ ନଥିବା ପ୍ରସଙ୍ଗକୁ ଆଧାର କରି ବିଜେପି, କଂଗ୍ରେସ କର୍ମୀଙ୍କ ସମେତ ଶତାଧିକ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଦୁଇ ବିଜେଡି ନେତାଙ୍କୁ ଦେଖି ଚାଷୀମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇବାକୁ ଚେଷ୍ଟା କରିଥିଲେ। ହେଲେ ପ୍ରଣବ ଓ ସଞ୍ଜୟ ଏହାକୁ ବେଖାତିର କରି ବିଜେଡି କର୍ମୀମାନଙ୍କ ସହ ଉଦଘାଟନ କାର୍ଯ୍ୟକ୍ରମରେ ଧସେଇ ପଶିଥିଲେ। ଧସେଇ ପଶିବା ବେଳେ ବିଜେଡି କର୍ମୀମାନେ ବିକ୍ଷୋଭକାରୀଙ୍କୁ ଗୋଇଠା ଓ ମହିଳାମାନଙ୍କୁ ଠେଲାପେଲା କରିଥିବା ଅଭିଯୋଗ ହୋଇଥିଲା। ଏଥିସହ ସେମାନେ ଅନୁସୂଚିତ ଜାତି ଓ ଜନଜାତିର ଲୋକଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ। ଏନେଇ ନବରଙ୍ଗପୁର ଥାନାରେ ବିଜେପି ନେତା ଗୌରୀ ଶଙ୍କର ମାଝୀ ଫେରାଦ ହୋଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ଶେଷରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନବରଙ୍ଗପୁର ଦୌରା ଜଜ ସଂଜୀବ ଦୁବେ ଆବେଦନକୁ ଗ୍ରହଣ କରିବା ସହ ୫ ଜଣ ସାକ୍ଷୀଙ୍କ ବୟାନ ଶୁଣିଥିଲେ। ଏହାପରେ ପ୍ରଣବ ଓ ସଞ୍ଜୟଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନବରଙ୍ଗପୁର ପୋଲିସ କୁ ନିର୍ଦ୍ଦେଶ ଦେଇଥିଲେ।

Breaking News