Report Card Odisha

| Daily Odia News

ଚୀନ୍‌ ଦାଦାଗିରିରେ ଲଗାମ ଲାଗିବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

‘ଭାରତ-ଜାପାନ-ଆମେରିକା-ଅଷ୍ଟ୍ରେଲିଆ’କୁ ନେଇ ଗଠିତ ଚତୁରାଷ୍ଟ୍ରୀୟ ମଞ୍ଚ ‘କ୍ବାଡ୍‌’ର ଶିଖର ସମ୍ମିଳନୀ ଆଜି ଟୋକିଓରେ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀ ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା। ଏଥିରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧଠାରୁ ନେଇ ଚୀନ୍‌ର ଦାଦାଗିରି ପର୍ଯ୍ୟନ୍ତ ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା ହେବାସହ ନୂଆ ରଣନୀତିରେ କାମ କରିବାକୁ ରୋଡମ୍ୟାପ୍‌ ପ୍ରସ୍ତୁତ ହୋଇଛି। ସମସ୍ତ ଦେଶ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଶାନ୍ତି ସ୍ଥାପନ ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ କ୍ବାଡ୍‌ ନିର୍ଣ୍ଣୟ ମୁତାବକ ପାରସ୍ପରିକ ସହଯୋଗ ଆହୁରି ବ୍ୟାପକ ହେବ ଏବଂ ଏକ ମୁକ୍ତ ଓ ସ୍ବାଧୀନ ‘ଭାରତ ପ୍ରଶାନ୍ତ କ୍ଷେତ୍ର’ କୁ ପ୍ରୋତ୍ସାହିତ କରିବାକୁ ଅହରହ ପ୍ରୟାସ ଚାଲିବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷ୍‌-ୟୁ‌କ୍ରେନ୍‌ ଯୁଦ୍ଧକୁ ନେଇ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କଡ଼ା ସମାଲୋଚନା କରିଥିଲେ। ୟୁକ୍ରେନ୍‌ର ସଂସ୍କୃତିକୁ ବିଲୋପ କରିଦେବା ପାଇଁ ପ୍ରୟାସ ହେଉଥିବାରୁ ଏଥିରେ ଅଙ୍କୁଶ ଲାଗିବା ଜରୁରୀ ବୋଲି ସେ କହିଥିଲେ। ଅଷ୍ଟ୍ରେଲିଆର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଏନ୍ ଥୋନି ଅଲ୍‌ବାନିଜ ଅଙ୍ଗାର ନର୍ଗମନ ହ୍ରାସ ଦିଗରେ ପଦକ୍ଷେପ ଉପରେ ଗୁରୁତ୍ବାରୋପ କରିଥିଲେ। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା କହିଥିଲେ ଯେ ଚୀନ୍‌ର ଦାଦାଗିରି ରୋକିବାକୁ କ୍ବାଡ୍‌ ସମୁଚିତ ପଦକ୍ଷେପ ନେବ ଏବଂ ଏ ବାବଦ ମିଳିତ ରଣନୀତି ତ୍ବରିତ ଓ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ ହେବ। ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ଡରାଇବା ପାଇଁ ଚୀନ୍‌ର ପ୍ରୟାସକୁ ପଣ୍ଡ କରାଯିବ ବୋଲି ସେ କହିଥିଲେ।

Breaking News