Report Card Odisha

| Daily Odia News

ତୁରନ୍ତ ବଦଳାଇ ନିଅନ୍ତୁ ଗାଡି ନମ୍ବର ପ୍ଲେଟ୍,ନହେଲେ ଜୋରିମାନା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗଡୁଥିବା ସମସ୍ତ ପୁରୁଣା ଗାଡ଼ିରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ । ଡିସେମ୍ବର ୩୧ତାରିଖ ସୁଦ୍ଧା ନିଜର ନୂଆ ନମ୍ବର ପ୍ଲେଟ୍ ଲଗାଇବାକୁ ନିର୍ଦ୍ଦେଶ ହୋଇଛି | କିନ୍ତୁ ନିଜର ଗାଡି ନମ୍ବର ଶେଷ ଅଙ୍କ କୁନେଇ ନିର୍ଦିଷ୍ଟ ମାସ ଧାର୍ଯ୍ୟ ହୋଇଛି | ସେହି ମାସ ଭିତରେ ନିଜର ନୂଆ ନମ୍ବର ପ୍ଲେଟ୍ କରିନେବାକୁ ପଡିବ | ଆସନ୍ତା ୩ମାସ ସୁଦ୍ଧା ପୁରୁଣା ଗାଡ଼ିରେ ଏହି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇନେବାକୁ ହେବ | ନହେଲେ ୫ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ | ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ସମସ୍ତ ପୁରୁଣା ଗାଡ଼ିର ମାଲିକମାନଙ୍କୁ ୩ମାସ ସମୟ ଦିଆଯାଇଛି । ସେମାନେ ଏହି ଅବଧି ମଧ୍ୟରେ ନିଜ ଗାଡ଼ିର ନମ୍ବର ପ୍ଲେଟ୍ ପରିବର୍ତ୍ତନ କରି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବେ । ୨୦୧୯ ଏପ୍ରିଲ ପହିଲାରୁ ରାଜ୍ୟରେ ସମସ୍ତ ନୂଆ ଗାଡ଼ିରେ ଏହି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବାଧ୍ୟତାମୂଳକ ହୋଇଛି । ପରିବହନ ବିଭାଗ ପକ୍ଷରୁ ସବୁ ପୁରୁଣା ଗାଡ଼ିଗୁଡ଼ିକର ନମ୍ବର ପ୍ଲେଟ ପରିବର୍ତ୍ତନ ପାଇଁ ମଧ୍ୟ ଅବଧି ସ୍ଥିର ହୋଇଥିବା ସୂଚନା ମିଳିଛି । ରାଜ୍ୟରେ ଟ୍ରାଫିକ ପରିଚାଳନାରେ ପାରିଦର୍ଶିତା ନିମନ୍ତେ ଏହି ନମ୍ବର ପ୍ଲେଟ୍ ପରିବର୍ତ୍ତନ ଜରୁରୀ ଥିବା ବିଭାଗ ପକ୍ଷରୁ କୁହାଯାଇଛି । ପରିବହନ ବିଭାଗ ଦ୍ୱାରା ନିର୍ଦ୍ଧାରିତ ଅବଧି ମଧ୍ୟରେ ଗାଡ଼ି ମାଲିକମାନେ ନିଜ ପୁରୁଣା ଗାଡ଼ିର ନମ୍ବର ପ୍ଲେଟ୍ ପରିବର୍ତ୍ତନ ନକଲେ ସେମାନଙ୍କୁ ମୋଟର ଯାନ ଆଇନ-୧୯୮୮ର ଧାରା ୧୯୨ ଅନ୍ତର୍ଗତ ୫ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଇ-ଚାଲାଣ ଜାରି ହେବ ବୋଲି ସରକାରଙ୍କ ପକ୍ଷରୁ ସତର୍କ କରିଦିଆଯାଇଛି । ଯେଉଁ ସବୁ ପୁରୁଣା ଗାଡ଼ିର ରେଜିଷ୍ଟ୍ରେସନ ନମ୍ବରର ଶେଷରେ ୧ ଓ ୨ ନମ୍ବର ରହିଛି ସେମାନେ ଅଗଷ୍ଟ ୩୧ ତାରିଖ ସୁଦ୍ଧା ନିଜର ନମ୍ବର ପ୍ଲେଟ୍ ପରିବର୍ତ୍ତନ କରିବେ । ସେହିପରି ଯେଉଁ ପୁରୁଣା ଗାଡ଼ିର ରେଜିଷ୍ଟ୍ରେସନ ନମ୍ବରର ଶେଷରେ ୩ ଓ ୪ ରହିଛି ସେମାନେ ସେପ୍ଟେମ୍ବର ୩୦, ଯେଉଁ ପୁରୁଣା ଗାଡ଼ିର ନମ୍ବର ୫ ଓ ୬ରେ ଶେଷ ହେଉଛି ସେମାନେ ଅକ୍ଟୋବର ୩୧, ଯେଉଁ ଗାଡ଼ିର ନମ୍ବରର ଶେଷ ନମ୍ବର ୭ ଓ ୮ ରହିଛି ସେମାନେ ନଭେମ୍ବର ୩୦ ତାରିଖ ସୁଦ୍ଧା ନିଜର ନୂଆ ନମ୍ବର ପ୍ଲେଟ୍ ଲଗାଇବେ । ସେହିପରି ଯେଉଁ ପୁରୁଣା ଗାଡ଼ିର ନମ୍ବର ଶେଷ ୯ ଓ ୦ରେ ହେଉଛି ସେମାନେ ଡିସେମ୍ବର ୩୧ତାରିଖ ସୁଦ୍ଧା ନିଜର ନୂଆ ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟ ବୋଲି ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Breaking News