ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରିଜର୍ଭ ବ୍ୟାଙ୍କ ପରେ ଅର୍ଥ ମନ୍ତ୍ରାଳୟ ମଧ୍ୟ ମାଗଣା ଯୋଜନା ଉପରେ ପ୍ରଶ୍ନ ଉଠାଇଛି। କରୋନା ମହାମାରୀ ସମୟରୁ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଉଛି। ଶେଷଥର ପାଇଁ ଗତ ମାର୍ଚ୍ଚରେ ଏହାକୁ ୬ ମାସ ପାଇଁ ଅର୍ଥାତ୍ ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ସେପ୍ଟେମ୍ବର ପରେ ଏହି ଯୋଜନାର ଅବଧି ଆଉ ନବଢ଼ାଇବାକୁ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ଯୁକ୍ତି ଦର୍ଶାଇଛି। କେବଳ ମାଗଣା ଖାଦ୍ୟ ଯୋଜନା ନୁହେଁ, କୌଣସି ପ୍ରକାର ବଡ଼ଧରଣର ଟିକସ ହ୍ରାସକୁ ମଧ୍ୟ ବ୍ୟୟ ବିଭାଗ ବିରୋଧ କରିଛି। ଏସବୁ କରାଗଲେ, ସରକାରଙ୍କ ବିତ୍ତୀୟ ସ୍ଥିତି ବିଗିଡ଼ିଯିବ ବୋଲି ବ୍ୟୟ ବିଭାଗ ସତର୍କ କରାଇ ଦେଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ସରକାର ସଂଶୋଧିତ ଅଟକଳରେ ଖାଦ୍ୟ ସବ୍ସିଡି ବାବଦ ବ୍ୟୟ ୨.୮୬ ଲକ୍ଷ କୋଟି ଟଙ୍କା ରହିଥିଲା। ୨୦୨୨-୨୩ରେ ଏ ବାବଦ ବ୍ୟୟ ୨.୦୭ କୋଟି ଟଙ୍କା ରହିବାନେଇ ବଜେଟରେ ଆକଳନ କରାଯାଇଛି। କିନ୍ତୁ, ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଖାଦ୍ୟ ଯୋଜନା ବୃଦ୍ଧି କରାଯାଇଥିବାରୁ ଉକ୍ତ ସବ୍ସିଡି ବିଲ୍ ୨.୮୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ। ସେପ୍ଟେମ୍ବର ମାସ ପରେ ଯଦି ଉକ୍ତ ଯୋଜନାକୁ ଆଉ ୬ ମାସ ବଢ଼ାଇ ଦିଆଯାଏ, ତା’ହେଲେ ସବ୍ସିଡି ବୋଝ ଆଉ ୮୦ ହଜାର କୋଟି ଟଙ୍କା ୨୦୨୨-୨୩ ବର୍ଷରେ ବଢ଼ିଯିବ। ଅର୍ଥାତ୍ ଖାଦ୍ୟ ସବ୍ସିଡି ବାବଦ ଖର୍ଚ୍ଚ ୩.୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଯିବ। ତେଣୁ, ମାଗଣା ଖାଦ୍ୟ ପ୍ରଦାନର ଅବଧି ବୃଦ୍ଧି କିମ୍ବା ଟିକସ ହ୍ରାସ ସରକାରଙ୍କ ବିତ୍ତୀୟ ସ୍ଥିତିକୁ ବିଗାଡ଼ିଦେବ। ତେଣୁ ସେପ୍ଟେମ୍ବର ପରେ ଉକ୍ତ ଯୋଜନାର ଅବଧି ଉଭୟ ଖାଦ୍ୟ ସୁରକ୍ଷା ଓ ବିତ୍ତୀୟ ଦୃଷ୍ଟିକୋଣରୁ ବୃଦ୍ଧି କରିବା ଠିକ୍ହେବ ନାହିଁ ବୋଲି ଅର୍ଥ ମନ୍ତ୍ରାଳୟ କହିଛି। ନିକଟରେ ସରକାର ମାଗଣା ରାସନ ପ୍ରଦାନର ଅବଧି ବୃଦ୍ଧି, ସାର ସବ୍ସିଡି ରାଶି ବୃଦ୍ଧି, ରନ୍ଧନ ଗ୍ୟାସ ଉପରେ ପୁନର୍ବାର ସବ୍ସିଡି ପ୍ରଦାନ, ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ ଏବଂ ଖାଇବା ତେଲ ଓ ଅନ୍ୟ କେତେକ ସାମଗ୍ରୀ ଉପରେ ଆମଦାନି ଶୁଳ୍କ ହ୍ରାସ ଦେଶର ବିତ୍ତୀୟ ସ୍ଥିତି ଉପରେ ଗୁରୁତର ପ୍ରଭାବ ପକାଇଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଗତମାସରେ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ ଦ୍ବାରା ସରକାରଙ୍କୁ ୧ ଲକ୍ଷ କୋଟି ଟଙ୍କାର ରାଜସ୍ବ କ୍ଷତି ସହିବାକୁ ପଡ଼ିବ। ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ବିତ୍ତୀୟ ନିଅଣ୍ଟ ଜିଡିପିର ୬.୪ ପ୍ରତିଶତରେ ରହିବ ବୋଲି ବଜେଟରେ ଆକଳନ ହୋଇଥିଲା। କିନ୍ତୁ, ସବ୍ସିଡି ବୃଦ୍ଧି ଏବଂ ରାଜସ୍ବ ହ୍ରାସ ଯୋଗୁ ବିତ୍ତୀୟ ନିଅଣ୍ଟ ଜିଡିପିର ୬.୮ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଏବେ ଫିଚ ରେଟିଙ୍ଗସ୍ ଆକଳନ କରିଛି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..