Report Card Odisha

| Daily Odia News

ଶିବଙ୍କ ପରି ବିଷ ପାନକରି ସବୁ କଷ୍ଟ ସହିଛନ୍ତି ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭଗବାନ ଶିବ ହଳାହଳ ପିଇବା ପରି ମୋଦୀ ସବୁ କଷ୍ଟ ସହ୍ୟ କରିଛନ୍ତି ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ‌ମୋଦୀଙ୍କୁ ‘ଏସ୍‌ଆଇଟି’ ଜେରା କରିଥିବା ସମୟର କଥା ସ୍ମରଣ କରି କହିଛନ୍ତି। ଗୃହମନ୍ତ୍ରୀ କହିଛନ୍ତି, ଅନ୍ୟମାନଙ୍କୁ ଦିଗ୍‌ଦର୍ଶନ ଦେଉଥିବା ନେତାଜଣକ ନିରବରେ ୧୮/୧୯ ବର୍ଷ ଧରି ଲଢ଼ିବା ସହ ଭଗବାନ ଶଙ୍କର ହଳାହଳ ପାନ କରିବା ପରି ସମସ୍ତ କଷ୍ଟ ସ୍ବୀକାର କଲେ। ତାଙ୍କ ଦୁର୍ଦ୍ଦଶା ସବୁ ମୁଁ ଅଙ୍ଗେନିଭାଇଛି। ମାମଲା ବିଚାରାଧୀନ ଥିବାରୁ ଜଣେ ଦୃଢ଼-ଇଚ୍ଛାଶକ୍ତିସମ୍ପନ୍ନ ବ୍ୟକ୍ତି ହିଁ ନିରବରେ ଏତେ କଷ୍ଟ ସ୍ବୀକାର କରିପାରିବେ। ସେ ଆହୁରି ମଧ୍ୟ କହିଛନ୍ତି, ସମ୍ବିଧାନ ପ୍ରତି କିଭଳି ସମ୍ମାନ ପ୍ରଦର୍ଶନ କରାଯାଇ ପାରିବ, ତାହା ଦର୍ଶାଇ ମୋଦୀଜୀ ଦୃଷ୍ଟାନ୍ତ ରଖିଗଲେ। ତାଙ୍କୁ ଜେରା କରାଯିବା ବେଳେ କେହି ଧାରଣା ଦେଇ ନ ଥିଲେ କି, ତାଙ୍କ ପ୍ରତି ସମର୍ଥନ ଜଣାଇ କର୍ମୀମାନେ ଠିଆ ହୋଇ ନ ଥିଲେ। ଅଭିଯୋଗକାରୀମାନଙ୍କର ଯଦି ବିବେକ ଥାଆନ୍ତା, ସେମାନେ ତାଙ୍କୁ କ୍ଷମାଭିକ୍ଷା କରିଥାଆନ୍ତେ। ସୂଚନାଯୋଗ୍ୟ, ଗୁଜରାଟ ହିଂସାକାଣ୍ଡରେ ଭୂମିକା ଗ୍ରହଣ କରିଥିବା ଅଭିଯୋଗ ସତ୍ତ୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ୬୩ଜଣଙ୍କୁ ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ ଦେଇଥିବା ‘କ୍ଲିନ୍‌ ଚିଟ୍‌’ ଉପରେ ସନ୍ଦେହ କରି ଦିବଂଗତ କଂଗ୍ରେସ ନେତା ଏଶାନ୍‌ ଜାଫ୍ରିଙ୍କ ବିଧବା ପତ୍ନୀ ଜାକିଆ ଜାଫ୍ରି ଦାଏର କରିଥିବା ପିଟିସନ୍‌କୁ ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ ଖାରଜ କରି ଦେଇଥିଲେ।

Breaking News