ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଯୁଦ୍ଧ ପ୍ରଭାବିତ ୟୁକ୍ରେନ ପ୍ରତି ସମର୍ଥନ ଜାରି ରଖିବାକୁ ଜି-୭ ରାଷ୍ଟ୍ରଗୋଷ୍ଠୀ ସୋମବାର ଘୋଷଣା କରିଛନ୍ତି। ଜର୍ମାନୀରେ ଚାଲିଥିବା ଶିଖର ସମ୍ମିଳନୀ ଅବସରରେ ଜି-୭ ରାଷ୍ଟ୍ର ସମୂହ କହିଛନ୍ତି ଯେ ଯେତେଦିନ ପର୍ଯ୍ୟନ୍ତ ରୁଷର ଆକ୍ରମଣ ଜାରି ରହିଥିବ ସେତେଦିନ ପର୍ଯ୍ୟନ୍ତ ୟୁକ୍ରେନକୁ ସମର୍ଥନ ଯୋଗାଇ ଦିଆଯିବ। ଅନ୍ୟପଟେ ରୁଷ୍ ଉପରେ ନିଜ ନିଜର କଟକଣାକୁ ଅଧିକ କରିବାକୁ ଜର୍ମାନୀ, ଆମେରିକା, ଫ୍ରାନ୍ସ, ଇଟାଲୀ, କାନାଡା, ଜାପାନ ଓ ବ୍ରିଟେନକୁ ନେଇ ଗଠିତ ଜି-୭ କହିଥିବା ଜଣାପଡିଛି । ଜି-୭ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ୟୁକ୍ରେନକୁ ଆମେ ଆର୍ଥିକ, ମାନବିକ, ସାମରିକ ଓ କୂଟନୈତିକ ସହାୟତା ଯୋଗାଇ ଚାଲିବୁ। ଯେତେ ଦିନ ପର୍ଯ୍ୟନ୍ତ ୟୁକ୍ରେନ ଏହି ସହାୟତା ଚାହୁଁଥିବ ସେତେଦିନ ପଯ୍ୟନ୍ତ ଏହା ଯୋଗାଇ ଦିଆଯିବ। ଜି-୭ ଦ୍ବିତୀୟ ଦିନ ବୈଠକରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡେମିର ଜେଲେନସ୍କି ଆଭାସି ମାଧ୍ୟମରେ ସମ୍ବୋଧନ କରିଥିଲେ। ଜେଲେନସ୍କି ତାଙ୍କ ସମ୍ବୋଧନରେ ରୁଷ୍ର ଆକ୍ରମଣକୁ ମୁକାବିଲା ନିମନ୍ତେ ୟୁକ୍ରେନକୁ ଅଧିକ ଆଣ୍ଟି-ଏୟାରକ୍ରାଫ୍ଟ ଡିଫେନ୍ସ ସିଷ୍ଟମ ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ଏହା ସହିତ ରୁଷ୍ ଉପରେ ଅଧିକ କଟକଣା ଲାଗୁ କରିବାକୁ ସେ କହିଛନ୍ତି। ଜେଲେନସ୍କି କହିଛନ୍ତି ଯେ ଶୀତ ଋତୁ ଆରମ୍ଭ ପୂର୍ବରୁ ରୁଷ୍ର ଯୁଦ୍ଧ ଶେଷ ହୋଇଯିବ। ୟୁକ୍ରେନର ଆର୍ଥିକ ସ୍ଥିତିକୁ ସ୍ଥିର ରଖିବା ଲାଗି ଜି-୭ ରାଷ୍ଟ୍ରଗୁଡିକ ଚଳିତ ବର୍ଷ ସୁଦ୍ଧା ୨୯୫୦ କୋଟି ଡଲାର ସହାୟତା ଯୋଗାଇ ଦେଇ ସାରିଲେଣି। ଏହା ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷ୍ ଉପରେ ଏହି ରାଷ୍ଟ୍ର ସମୂହ କଟକଣା ଲାଗୁ କରିଛନ୍ତି। ଅନ୍ୟପଟେ ସୋମବାର ରୁଷ୍ର କ୍ଷେପଣାସ୍ତ୍ର ମାଡରେ ପୂର୍ବ ୟୁକ୍ରେନର କ୍ରେମେନଚୁକ୍ ଅଞ୍ଚଳରେ ଥିବା ଏକ ସପିଙ୍ଗ ମଲ ସମ୍ପୂର୍ଣ୍ଣ ଜଳି ଯାଇଛି। ଏଥିରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ଜଣ ଆହତ ହୋଇଛନ୍ତି।






More Stories
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……
ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ…..
ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା…..