ରିପୋର୍ଟ କାର୍ଡ / ଭୁବନେଶ୍ୱର
ଡିଏଭି ପବ୍ଲିକ ସ୍କୁଲ କଳିଙ୍ଗନଗରର ରୌପ୍ୟଜୟନ୍ତୀ ପୂର୍ତ୍ତି ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ଏହି ଶିବିରରୁ ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କଠାରୁ ୭୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ତଥା କମିଶନରେଟ୍ ପୋଲିସ୍ର ମିଳିତ ସହଯୋଗରେ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କମିଶନରେଟ ପୋଲିସର ସହକାରୀ କମିଶନର ତଥା ରେଡକ୍ରସ ଆଞ୍ଚଳିକ ଶାଖାର ଯୁଗ୍ମ ସମ୍ପାଦକ ଲଳିତେନ୍ଦୁ ମହାନ୍ତି କାର୍ଯ୍ୟକ୍ରମର ଉଦ୍ଘାଟନ କରି ରକ୍ତଦାନ ଶିବିରର ମହତ୍ତ୍ୱ ଉପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀଯୁକ୍ତ ମଦନ ମୋହନ ପଣ୍ଡା ଓ ଅଧ୍ୟକ୍ଷ ବିପିନ କୁମାର ସାହୁ ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଅତିଥିମାନଙ୍କ ଦ୍ୱାରା ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ପୂର୍ବତନ ଛାତ୍ର ସଂସଦ, ସ୍କାଉଟ୍, ଗାଇଡ୍,ଏନସିସି, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା ।






More Stories
୧୦ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର…..
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..