ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଏକ ଟିପ୍ପଣୀକୁ କଦର୍ଥ କରି ଏହାକୁ ଉଦୟପୁର ହିଂସା ଘଟଣା ସହ ଯୋଡ଼ିଥିବାରୁ ‘ଜି ନ୍ୟୁଜ୍’ ଆଙ୍କରଙ୍କ ବିରୋଧରେ କଂଗ୍ରେସ ମାମଲା ରୁଜୁ କରିଛି। ରାହୁଲଙ୍କ ୱାୟନାଡ଼ ଅଫିସରେ ନିକଟରେ ଭଙ୍ଗାରୁଜା ହୋଇଥିଲା। ରାହୁଲ ଏବେ ୱାୟନାଡ଼ ଗସ୍ତରେ ଥିବାବେଳେ ତାଙ୍କୁ ୱାୟନାଡ଼ ଅଫିସ୍ ଭଙ୍ଗାରୁଜା ସଂକ୍ରାନ୍ତରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେଇ ରାହୁଲ କହିଥିଲେ, ବିଶ୍ବବ୍ୟାପୀ ସମସ୍ତେ ହିଂସାକୁ ବିଭିନ୍ନ ପ୍ରସଙ୍ଗର ସମାଧାନ ବୋଲି ବିବେଚନା କରୁଛନ୍ତି। କିନ୍ତୁ ହିଂସା କେବେ ସମସ୍ୟାର ସମାଧାନ କରିପାରିବନି। ତେଣୁ ହିଂସାଠୁ ଦୂରେଇ ରହିବା ଉଚିତ। ଏହା ଏକ ଦାୟିତ୍ବହୀନ ବ୍ୟବହାର। କିନ୍ତୁ ସେମାନଙ୍କ ପ୍ରତି ମୋର କିଛି ରାଗ ନାହିଁ। ରାହୁଲ ତାଙ୍କ ଅଫିସ ଭଙ୍ଗାରୁଜା କରିଥିବା ଦୁର୍ବୃତ୍ତଙ୍କୁ ଛୋଟ ପିଲା ବୋଲି କହିଥିଲେ ଏବଂ ସେମାନଙ୍କୁ କ୍ଷମା କରିଦେବାକୁ କହିଥିଲେ। ତେବେ ରାହୁଲ ୱାୟନାଡ଼ ଅଫିସ ଭଙ୍ଗାରୁଜା ପ୍ରସଙ୍ଗରେ ଦୁର୍ବୃତ୍ତଙ୍କୁ ଛୋଟଛୁଆ ବୋଲି କହିଥିଲେ ସୁଦ୍ଧା ଜି ନ୍ୟୁଜ୍ ଆଙ୍କର ରାହୁଲଙ୍କ ଏହି ଟିପ୍ପଣୀକୁ ଉଦୟପୁର ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ପାଇଁ ଯୋଡ଼ିଥିଲେ। ନ୍ୟୁଜ୍ ଆଙ୍କର ଦାବି କରିଥିଲେ ଯେ ରାହୁଲ ଗାନ୍ଧୀ କହ୍ନେୟା ଲାଲ୍ଙ୍କ ହତ୍ୟାକାରୀଙ୍କୁ ଛୋଟ ପିଲା ବୋଲି କହୁଛନ୍ତି। ଉକ୍ତ ଘଟଣାକୁ କଂଗ୍ରେସ କଡ଼ା ବିରୋଧ କରିଛି ଏବଂ ଏନେଇ ଜି ନ୍ୟୁଜ୍ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଚେତାବନୀ ଦେଇଛି। କଂଗ୍ରେସର ଜାତୀୟ ମୁଖପାତ୍ର ସୁପ୍ରିୟା ଶ୍ରୀହାନ୍ତେ ଆଜି ଏକ ଟ୍ବିଟ୍ କରି କହିଛନ୍ତି, ୱାୟନାଡ଼ ଘଟଣା ସଂକ୍ରାନ୍ତରେ ରାହୁଲଙ୍କ ଟିପ୍ପଣୀକୁ କଦର୍ଥ କରାଯାଇଛି ଏବଂ ଏହାକୁ ୱାୟନାଡ଼ ହତ୍ୟା ସହ ଯୋଡ଼ା ଯାଇଛି। ଆମେ ଏହି ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଜି ନ୍ୟୁଜ୍ ଏହି ମାମଲାରେ କ୍ଷମା ମାଗି ସାରିଥିଲେ ସୁଦ୍ଧା କଂଗ୍ରେସ ଉକ୍ତ ପ୍ରସଙ୍ଗକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛି। ଜି ନ୍ୟୁଜ୍ ଆଙ୍କର ରୋହିତ ରଂଜନ ତାଙ୍କ ସୋ’ର ଏକ ଟ୍ବିଟ୍ କରିବା ସହ କହିଥିଲେ, ଗତକାଲି ଆମର ଏକ ସୋ’ରେ ରାହୁଲ ଗାନ୍ଧୀଙ୍କ ଏକ ଟିପ୍ପଣୀକୁ ଭୁଲଭାବେ ଉପସ୍ଥାପନ କରାଯାଇଛି। ଏହା ମାନବଗତ ତ୍ରୁଟି। ଏଥିପାଇଁ ଆମ ଟିମ୍ କ୍ଷମା ମାଗୁଛି। ଅନ୍ୟପକ୍ଷେ ଏହି ମାମଲାରେ ଜୟପୁରରେ ବିଜେପି ସାଂସଦ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଏବଂ ଅନ୍ୟମାନଙ୍କ ବିରୋଧରେ ଶନିବାର ମାମଲା ହୋଇଛି।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..