Report Card Odisha

| Daily Odia News

ଶିବସେନା-ବିଜେପି ସରକାର ଭାଙ୍ଗିଯିବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ର ବିଧାନସଭାର ନବ ନିର୍ବାଚିତ ବାଚସ୍ପତି ରାହୁଲ ନର୍ବେକର ରବିବାର ବିଳମ୍ବିତ ରାତିରେ ନେଇଥିବା ନିଷ୍ପତ୍ତିକୁ ଉଦ୍ଧବ ଗୋଷ୍ଠୀ ସୁପ୍ରିମ କୋର୍ଟରେ ଚ୍ୟା‌ଲେଞ୍ଜ କରିଛନ୍ତି। ଉକ୍ତ ମାମଲାର ଶୁଣାଣି ଅନ୍ୟ ମାମଲା ସହିତ ଆସନ୍ତା ୧୧ ତାରିଖରେ ହେବ। ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା-ବିଜେପି ସରକାର ଆସନ୍ତା ୬ ମାସରେ ଭାଙ୍ଗିଯିବା ଭଳି ଲାଗୁଛି। ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଏହା କହିଛନ୍ତି। ଏଥିସହିତ ପାୱାର ଦଳୀୟ ନେତାଙ୍କୁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ଗତକାଲି ସନ୍ଧ୍ୟାରେ ପାୱାର ଏନ୍‌ସିପି ଏବଂ ଅନ୍ୟ ବିଧାୟକମାନଙ୍କୁ ଉଦ୍‌ବୋଧନ ଦେବା ସମୟରେ କହିଥିଲେ, ସିନ୍ଦେଙ୍କୁ ସମର୍ଥନ କରିଥିବା ଅନେକ ବିଦ୍ରୋହୀ ବିଧାୟକ ବର୍ତ୍ତମାନର ବ୍ୟବସ୍ଥାରେ ଖୁସି ନାହାନ୍ତି। ଥରେ ମନ୍ତ୍ରୀ ପଦ ବଣ୍ଟନ ହେଲେ ସେମାନଙ୍କ ଅସନ୍ତୋଷ ପଦାକୁ ଆସିବ ଏବଂ ଏହାପରେ ସରକାର ଭାଙ୍ଗିଯିବ। ଅନ୍ୟପକ୍ଷେ ଶିବସେନା ସଭାପତି ଉଦ୍ଧବ ଠାକ୍‌ରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଦଳକୁ ଶେଷ କରିଦେବା ପାଇଁ ବିଜେପି ଷଡ଼୍‌ଯନ୍ତ୍ର କରିଥିଲା। ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ଠାକ୍‌ରେ ବିଜେପିକୁ ଚ୍ୟା‌ଲେଞ୍ଜ କରିଛନ୍ତି। ସେ କହିଛନ୍ତି, ଏତେ ସବୁ ଖେଳ ଅପେକ୍ଷା ଆମେ ଲୋକଙ୍କ ଅଦାଲତ ଯିବା। ଯଦି ଆମେ ଭୁଲ୍‌ ତେବେ ଲୋକ ଆମକୁ ଘରକୁ ପଠାଇବେ ଏବଂ ଯଦି ତୁମେ ଭୁଲ୍‌ ତେବେ ତୁମକୁ ବି ଲୋକ ଘରକୁ ପଠାଇଦେବେ। ଉଲ୍ଲେଖ ଯୋଗ୍ୟ- ସେ ପୂର୍ବରୁ ବିଧାନସଭାରେ ଶିବସେନାର ମୁଖ୍ୟ ସଚେତକ ରହିଥିବା ନେତାଙ୍କୁ ହଟାଇ ସିନ୍ଦେ ଗୋଷ୍ଠୀଙ୍କ ନେତାଙ୍କୁ ମୁଖ୍ୟ ସଚେତକ ଘୋଷଣା କରିଥିଲେ। ହ୍ବିପ୍‌କୁ ସ୍ବୀକୃତିରେ ଦେବା ବାଚସ୍ପତିଙ୍କ କ୍ଷମତା ପରିସର ଭିତରେ ଆସୁନାହିଁ ବୋଲି ଉଦ୍ଧବ ଗୋଷ୍ଠୀ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଅଭିଶେକ ମନୁ ସିଂଘଭି ଯୁକ୍ତି ଦର୍ଶାଇଛନ୍ତି। ବିଚାରପତି ଇନ୍ଦିରା ବାନାର୍ଜୀଙ୍କ ଅବକାଶକାଳୀନ ଖଣ୍ଡପୀଠ କହିଥିଲେ ମୋ ନିକଟରେ ବର୍ତ୍ତମାନ କାଗଜପତ୍ର ନାହିଁ। ତେଣୁ ପୂର୍ବରୁ ରହିଥିବା ମାମଲା ସହିତ ଏହି ମାମଲାର ଶୁଣାଣି ଅବକାଶ ପରେ ଆସନ୍ତା ୧୧ ତାରିଖରେ ଶୁଣାଣି ହେବ।

 

Breaking News