ରିପୋର୍ଟ କାର୍ଡ / ପୁରୀ
ମହାପ୍ରଭୁ ଘୋଷଯାତ୍ରା ଶେଷକରି ଆଜି ଶ୍ରୀମନ୍ଦିର ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରିବେ। ଶ୍ରୀକ୍ଷେତ୍ରରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରଥଉପରେ ତିନିଠାକୁରଙ୍କୁ ମଙ୍ଗଳ ଆଳତି, ତଡ଼ପଲାଗି, ଅବକାଶ, ବେଶ, ଗୋପାଳବଲ୍ଲଭ, ସକାଳଧୂପ, ମଇଲମ, ମହାସ୍ନାନ, ସର୍ବାଙ୍ଗ, ମଧ୍ୟାହ୍ନଧୂପ, ସନ୍ଧ୍ୟାଆଳତି ଏବଂ ସନ୍ଧ୍ୟାଧୂପ କରାଯିବ। ଏହାପରେ କୋଠ ସୁଅଁାସିଆ ସେବକ ତିନିରଥରେ ଚାରମାଳ ବନ୍ଧିବେ। ପରମ୍ପରା ଅନୁଯାୟୀ ସିଂହାସନ ମାଜଣା କରାଯିବ। ପୁଷ୍ପାଞ୍ଜଳି ପ୍ରଦାନ ପରେ ଆରମ୍ଭ ହେବ ମହାପ୍ରଭୁଙ୍କ ପହଣ୍ଡି। ଶ୍ରୀମସ୍ତକରେ ଆକର୍ଷଣୀୟ ଟାହିଆ ଲଗାଇ ରଥଉପରୁ ଶ୍ରୀମନ୍ଦିର ରତ୍ନବେଦୀକୁ ପହଣ୍ଡି ବିଜେ କରିବେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଚକ୍ରରାଜ ଶ୍ରୀସୁଦର୍ଶନ। ଏତଦ୍ବ୍ୟତୀତ ମଦନମୋହନ ଏବଂ ରାମକୃଷ୍ଣଙ୍କୁ ରଥରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ମିଳିତ ଘଣ୍ଟବାଦ୍ୟରେ କମ୍ପିଉଠିବ ଶ୍ରୀମନ୍ଦିର ସିଂହଦ୍ବାର। ସେବାୟତ ଏବଂ ଭକ୍ତଙ୍କ ମେଳରେ ଶ୍ରୀମନ୍ଦିରକୁ ଫେରିବେ ଦାରୁବ୍ରହ୍ମ। ମନ୍ଦିର ପ୍ରଶାସନ ସୂଚନା ଅନୁଯାୟୀ ଅପରାହ୍ଣ ୪ଟାରେ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟାରେ ଶେଷହେବ। ପହଣ୍ଡି ପରେ ରତ୍ନସିଂହାସନରେ ଶ୍ରୀଜୀଉଙ୍କ ସର୍ବାଙ୍ଗ ଓ ଶ୍ରୀମୁଖ ଖଣ୍ଡୁଆ ନୀତି କରାଯିବ। ରତ୍ନସିଂହାସନରୁ ଚାରମାଳ ଫିଟାଯିବ। ଚକ୍ରରାଜ ଶ୍ରୀସୁଦର୍ଶନ ସିଂହାସନକୁ ବିଜେ କରିବେ। ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ଶ୍ରୀମୁଖ ଖଣ୍ଡୁଆ ବାହାର କରାଯିବ। ସିଂହାସନ ଧୁଆପରେ ଶ୍ରୀମାଧବ, ଶ୍ରୀଦେବୀ ଓ ଭୂଦେବୀ ରତ୍ନସିଂହାସନକୁ ବିଜେ କରିବେ। ଦାରୁବ୍ରହ୍ମଙ୍କୁ ମହାସ୍ନାନ କରାଯିବ। ଏହାପରେ ରୋଷହୋମ, ମଇଲମ, ଚନ୍ଦନଲାଗି, ସୂର୍ଯ୍ୟପୂଜା, ଦ୍ବାରପାଳପୂଜା, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଏବଂ ରାତ୍ରପହୁଡ କରାଯିବା ବିଧି ରହିଛି।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..