ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ ଭାରତକୁ ରୁଷ୍ ଠାରୁ ଏସ୍-୪୦୦ ପ୍ରତିରକ୍ଷା ବ୍ୟବସ୍ଥା କ୍ରୟ ପ୍ରକ୍ରିୟାକୁ ମଂଜୁରି ଦେଇଛି ଏବଂ ଏ ବାବଦରେ ପୂର୍ବରୁ ଘୋଷଣା ହୋଇଥିବା କଟକଣା ଆଉ ଭାରତ ବିରୋଧରେ ଲାଗୁ ହେବନାହିଁ। ଭାରତ ସମର୍ଥନରେ ଏହା ଆମେରିକାର ଏକ ବହୁତ ବଡ଼ ପଦକ୍ଷେପ ହୋଇଥିବା ବେଳେ ରୁଷ୍ ମଧ୍ୟ ଆମେରିକାର ଏହି ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିଛି । ଭାରତ ରୁଷ୍ ଠାରୁ ଅସ୍ତ୍ରଶସ୍ତ୍ର କିଣିବା ନେଇ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ ଏବଂ ପୂର୍ବରୁ ଘୋଷଣା ହୋଇଥିବା କଟକଣାଗୁଡ଼ିକୁ ମଧ୍ୟ ନିଷ୍କ୍ରିୟ କରିଦିଆଯାଇଛି। ଭାରତ ମହାସାଗରରେ ଚୀନ୍କୁ ଜବାବ ଦେବା ପାଇଁ ଭାରତ ସବୁ ଦିଗରୁ ପ୍ରସ୍ତୁତ ହେଉଥିବାରୁ ଆମେରିକା ଏଥିପାଇଁ ସହାୟତାର ହାତ ବଢ଼ାଇଛି। ଚୀନ୍ ଭଳି ଏକ ବିସ୍ତାରବାଦୀ ରାଷ୍ଟ୍ରର ଚାଲ୍କୁ ପଣ୍ଡ କରିବା ପାଇଁ ଭାରତର ପ୍ରତିରକ୍ଷା ପଦକ୍ଷେପଗୁଡ଼ିକରେ କୌଣସି ଅଙ୍କୁଶ ରହିବ ନାହିଁ ବୋଲି ପ୍ରତିନିଧି ସଭାରେ ଗୃହୀତ ହୋଇଥିବା ବିଲ୍ରେ ପ୍ରାବଧାନ ରହିଛି। ସ୍ବତନ୍ତ୍ର ଭାବେ ଭାରତକୁ ଅସ୍ତ୍ର କ୍ରୟରେ ରିହାତି ଦେବାପାଇଁ ଆମେରିକାର ଏହି ପଦକ୍ଷେପକୁ ଭାରତ ସ୍ବାଗତ କରିଛି ଏବଂ ରଣନୀତିକ ଦୃଷ୍ଟିରୁ ଭାରତ-ଆମେରିକା ସଂପର୍କ ଆହୁରି ସୁଦୃଢ଼ ହେବ ବୋଲି କୁହାଯାଇଛି। ଗତ ୨୦ ବର୍ଷ ଧରି ଚୀନ୍ ଭାରତ ମହାସାଗରରେ ନିଜ ଶକ୍ତି ବୃଦ୍ଧି କରି ଅନ୍ୟ ରାଷ୍ଟ୍ରମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଚୀନ୍ର ଆକ୍ରମଣାତ୍ମକ ଗତିବିଧିର ମୁକାବିଲା ପାଇଁ ସମୁଚିତ ପଦକ୍ଷେପ ନିଆନଗଲେ ଅନ୍ତର୍ଜାତୀୟ ବ୍ୟବସ୍ଥାରେ ବିଭ୍ରାଟ ସୃଷ୍ଟି ହେବ ବୋଲି ଆମେରିକା ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି। ଭାରତ ମହାସାଗରରେ ଚୀନ୍ର ୧୪୫ଟି ଯୁଦ୍ଧ ଜାହାଜ ରହିଥିବା ବେଳେ ଏଥିରେ ୬ଟି ପରମାଣୁ ସଂଚାଳିତ ବୁଡ଼ାଜାହାଜ ଓ ୪୬ଟି ଡିଜେଲ ସଂଚାଳିତ ବୁଡ଼ାଜାହାଜ ରହିଛି। ଚୀନ୍ ଭାରତ ମହାସାଗରରେ ନିଜର ଏକଚାଟିଆ ପ୍ରଭାବ ଚାହୁଥିବାରୁ ଏବେ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ଏହାର ମୁକାବିଲା ପାଇଁ ମିଳିତ ରଣନୀତିରେ କାମ କରୁଛନ୍ତି।






More Stories
ଇରାନ ଉପରେ ଆମେରିକାର ଆକ୍ରମଣ……
୧୮ରେ ରାଜ୍ୟସଭା ଉପନିର୍ବାଚନ…..
ପଦ୍ମ ପୁରସ୍କାର:୬୬ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ…..