Report Card Odisha

| Daily Odia News

‘ମୁଁ ପ୍ରଧାନମନ୍ତ୍ରୀ ହେଲେ ଦିନକରେ ବଦଳାଇଦେବି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇଂଲଣ୍ଡର ପ୍ରଧାନମନ୍ତ୍ରୀ ହେଲେ ଏସିଆର ସୁପର ପାୱାର ବୋଲାଉଥିବା ଚୀନ୍ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ଦୌଡ଼ରେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ଋଷି ସୁନକ ରବିବାର ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଯେ ଚୀନ୍ ହେଉଛି ଦେଶ ତଥା ବିଶ୍ବ ସୁରକ୍ଷା ପାଇଁ ସବୁଠାରୁ ବଡ଼ ବିପଦ। ସୁନକ ଚୀନ୍ ଓ ରୁଷ୍ ପ୍ରସଙ୍ଗରେ ଦୁର୍ବଳ ବୋଲି ତାଙ୍କର ପ୍ରତିଦ୍ବନ୍ଦ୍ବୀ ଲିଜ୍ ଟ୍ରସ୍ ଅଭିଯୋଗ କରିବା ପରେ ସେ ଏହି ବୟାନ ଦେଇଛନ୍ତି। କିଛିଦିନ ତଳେ ଚୀନ୍‌ର ସରକାରୀ ସମ୍ବାଦପତ୍ର ଗ୍ଲୋବାଲ୍ ଟାଇମ୍ସ ଲେଖିଥିଲା ଯେ, ଏକମାତ୍ର ଋଷି ସୁନକ ଯଦି ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଇଂଲଣ୍ଡ-ଚୀନ୍ ସମ୍ପର୍କ ମଜଭୁତ ହେବ। ଏହାପରେ ଇଂଲଣ୍ଡର ଡେଲି ମେଲ୍ ଲେଖିଲା, ଏହା ଏପରି ଏକ ପ୍ରଶଂସାପତ୍ର ଯାହା କେହି ଚାହାନ୍ତି ନାହିଁ। ସୁନକ ପ୍ରଧାନମନ୍ତ୍ରୀ ହେଲେ କ’ଣ କରିବେ ସେ ସମ୍ପର୍କରେ କହିଛନ୍ତି ଯେ ସେ ଇଂଲଣ୍ଡରେ ଥିବା ୩୦ଟି ଯାକ କନ୍‌ଫୁସିୟସ୍ ଇନ୍‌ଷ୍ଟିଚ୍ୟୁଟ୍‌କୁ ବନ୍ଦ କରିଦେବେ। ସଂସ୍କୃତି ଓ ଭାଷା କାର୍ଯ୍ୟକ୍ରମ ମାଧ୍ୟମରେ ଏଗୁଡ଼ିକ ଦେଶରେ ଚୀନ୍ ପ୍ରତି ନରମ ମନୋଭାବର ପ୍ରସାର କରୁଛନ୍ତି। ସେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ପ୍ରଧାନମନ୍ତ୍ରୀ ହେଲେ ଦେଶର ବିଶ୍ବବିଦ୍ୟାଳୟଗୁଡ଼ିକରୁ ସିସିପି (ଚାଇନିଜ୍ କମ୍ୟୁନିଷ୍ଟ ପାର୍ଟି)କୁ ବାହାର କରିଦେବେ। ସୁନକ ଦାବି କରିଥିଲେ ଯେ ଚୀନ୍ ବ୍ରିଟିଶ୍ ଟେକ୍ନୋଲୋଜିଗୁଡ଼ିକୁ ଚୋରି କରୁଛି। ଚୀନ୍‌ର ଗୁପ୍ତଚରଗିରି ବିରୋଧରେ ଲଢ଼େଇ କରିବା ପାଇଁ ବ୍ରିଟିଶ୍ ଗୋଇନ୍ଦା ସଂସ୍ଥା ଏମ୍‌ଆଇ୫କୁ ନିୟୋଜିତ କରାଯିବ। ନାଟୋ-ଷ୍ଟାଇଲ୍ ଅନ୍ତର୍ଜାତୀୟ ସହଯୋଗ ବଳରେ ସାଇବର୍‌ସ୍ପେସ୍ ପ୍ରତି ଚୀନ୍‌ ଆଣୁଥିବା ବିପଦର ମୁକାବିଲା କରାଯିବ। ଚୀନ୍ ବ୍ରିଟେନ୍‌ର ପ୍ରଯୁକ୍ତି ଓ ଗୁପ୍ତ ତଥ୍ୟ ଚୋରି କରି ଋଷିଆକୁ ସାହାଯ୍ୟ କରୁଛି ବୋଲି ସୁନକ ଅଭିଯୋଗ କରିଥିଲେ। ତେଣୁ ସେ ପ୍ରଧାନମନ୍ତ୍ରୀ ହେବା ଦିନ ହିଁ ଏଗୁଡ଼ିକ ବିରୋଧରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Breaking News