ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ହେଉଛି କାର୍ଗିଲ ବିଜୟ ଦିବସ | ୧୯୯୯ ମସିହା ୨୬ ଜୁଲାଇ ଆଜିର ଦିନରେ ପାକିସ୍ତାନ ଭାରତୀୟ ବୀର ଯବାନଙ୍କ ଆଗରେ ମୁଣ୍ଡ ନୁଆଁଇଥିଲା । ଛତ୍ରଭଙ୍ଗ ଦେଇଥିଲା ପାକିସ୍ତାନୀ ସେନା । ଆଜି ଭାରତୀୟ ବୀର ଯବାନଙ୍କ ପରାକ୍ରମକୁ ସାରା ଦେଶ ମନେ ପକାଉଛି । ଦୀର୍ଘ ୨୦ ବର୍ଷ ତଳେ ଧୋକା ଦେଇଥିବା ପାକିସ୍ତାନର ଯୋଜନାକୁ ପଣ୍ଡ କରିଦେଇଥିଲା ଭାରତୀୟ ସେନା । ପୁଣି ଥରେ କାର୍ଗିଲ ସେକ୍ଟରରେ ଉଡ଼ିଥିଲା ତ୍ରିରଙ୍ଗା । କାରଗିଲ ପାହାଡ ଉପରେ ଉଡୁଥିବା ଏହି ତ୍ରିରଙ୍ଗା, ଦେଶ ପାଇଁ ଶହୀଦ ହୋଇଥିବା ବୀର ଯବାନଙ୍କ ପରାକ୍ରମର ଗାଥା ବଖାଣୁଛି । ସେଦିନର ସେହି ବିଜୟକୁ ମନେ ପକାଇ ଦେଶ ଆଜି ପାଳନ କରୁଛି ବିଜୟ ଦିବସ । ଆଜିର ଦିନରେ ଭାରତୀୟ ଜବାନମାନେ ପାକିସ୍ତାନୀ ସେନାକୁ ମାତ୍ ଦେବା ସହ ଅପରେସନ ବିଜୟର ଶଙ୍ଖନାଦ କରିଥିଲେ । କିନ୍ତୁ ଯୁଦ୍ଧରେ ୫୨୭ ଜବାନ ସେମାନଙ୍କ ପ୍ରାଣର ଆହୁତି ଦେଇଥିଲେ । ଆଉ ସାରା ଦେଶକୁ ଏକ ଆସନ୍ନ ବିପଦ ମୁହଁରୁ ରକ୍ଷା କରିଥିଲେ । ଆଉ ପାକିସ୍ତାନ ଭଳି ଏକ ଆତଙ୍କୀ ରାଷ୍ଟ୍ରର ଅସଲ ମୁଖା ଖୋଲି ଦେଇଥିଲା । ଏହି ଅବସରରେ କାଶ୍ମୀରର ଡ୍ରାସଠାରେ ଥିବା କାରଗିଲ ୱାର ମେମୋରିଆଲ୍ ରେ କାରଗିଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସେହିପରି ଦିଲ୍ଲୀ ଇଣ୍ଡିଆ ଗେଟ୍ ରେ ଥିବା ଅମର ଯବାନ ଜ୍ୟୋତିରେ ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏଥିରେ ରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ତିନି ସେନାମୁଖ୍ୟ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି | ଟ୍ଵିଟକରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି | ରାଷ୍ଟ୍ରପତି ଲେଖିଛନ୍ତି କି କାରଗିଲ୍ ବିଜୟ ଦିବସ ଆମର ସଶସ୍ତ୍ର ବଳଙ୍କ ଅସାଧାରଣ ବୀରତ୍ଵ, ପରାକ୍ରମ ଏବଂ ଦୃଢ ସଂକଳ୍ପର ପ୍ରତୀକ। ଭାରତମାତାର ରକ୍ଷା ପାଇଁ ନିଜର ପ୍ରାଣବଳୀ ଦେଇଥିବା ସମସ୍ତ ବୀର ସୈନିକଙ୍କୁ ମୁଁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି। ସମସ୍ତ ଦେଶବାସୀ, ସେମାନଙ୍କ ଏବଂ ସେମାନଙ୍କ ପରିବାର ପ୍ରତି ସର୍ବଦା ଋଣି ରହିବେ। ଜୟ ହିନ୍ଦ ! | ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ସେ ଟୁଇଟ୍ କରିଛନ୍ତି, କାରଗିଲ୍ ବିଜୟ ଦିବସ ମା ଭାରତୀଙ୍କ ଶୌର୍ୟ୍ୟ, ବୀରତ୍ଵ ଏବଂ ଗାଥାର ପ୍ରତୀକ। ଏହି ଅବସରରେ ମାତୃଭୂମିର ରକ୍ଷାରେ ନିଜର ପରାକ୍ରମର ପରାକାଷ୍ଠା ଦେଖାଇଥିବା ଦେଶର ସମସ୍ତ ସାହସୀ ବୀରପୂତ୍ରଙ୍କୁ ମୋର ଶତ ଶତ ନମନ। ଜୟ ହିନ୍ଦ !






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..