Report Card Odisha

| Daily Odia News

ଆଜି ଗଡିବ ଇ-ବସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ପ୍ରଥମ କରି ଗଡିବ ଇ-ବସ ଏବଂ ଇ-ରିକ୍ସା। ସବୁଜ ସହର ପରିକଳ୍ପନା, ବାୟୁମଣ୍ଡଳ ପ୍ରଦୂଷଣ ମୁକ୍ତ ଏବଂ ଅଙ୍ଗାରକାମ୍ଳ ନିର୍ଗତ ପରିମାଣ ହ୍ରାସ କରିବାରେ ଏହା ସହାୟକ ହେବ। ଆଜିଠାରୁ ରାଜଧାନୀରେ ପ୍ରଥମ ପର୍ଯ୍ୟାୟରେ ୧୦ ଇ-ବସ ଏବଂ ୪୫ ଇ-ରିକ୍ସା ଚଳାଚଳ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ଣ ୫ଟାରେ ବିମାନ ବନ୍ଦର ରାସ୍ତାରେ ସବୁଜ ପତାକା ଦେଖାଇ ଉଭୟ ଇ-ଯାନକୁ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ବର୍ତ୍ତମାନ ସମୟରେ ବ୍ୟକ୍ତିଗତ ଯାନର କମ ବ୍ୟବହାର କରି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ମୋ ବସ, ଇ-ବସ, ଇ-ରିକ୍ସା ସେବାକୁ ବ୍ୟବହାର କଲେ ଟ୍ରାଫିକ ସମସ୍ୟାରେ ନିୟମିତ ସୁଧାର ଆସିପାରିବ। ବାୟୁ ପ୍ରଦୂଷଣକୁ ରୋକି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ମୁଖ୍ୟତଃ ଭାବେ ପେଟ୍ରୋଲ ଓ ଡିଜେଲ ଚାଳିତ ବସ ଚଳାଚଳ କରୁଥିବାରୁ ବାୟୁମଣ୍ଡଳରେ ପ୍ରଦୂଷଣ ବଢୁଛି। ଏହାକୁ ହ୍ରାସ କରିବା ନିମନ୍ତେ ରାଜଧାନୀରେ କ୍ରୁଟ ପକ୍ଷରୁ ଇ-ବସ ଓ ଇ-ରିକ୍ସା ଚଳାଚଳ କରିବ। ଏଥିପାଇଁ କ୍ରୁଟ ୧୦ ଇ-ବସ ଆଣି ପରୀକ୍ଷା ମୂଳକ ଭାବେ ସହରର ବିଭିନ୍ନ ମାର୍ଗରେ ଚଳାଚଳ କରୁଛନ୍ତି। ଇ-ବସରେ ବାଲିବସ୍ତା ରଖି ଚଳାଚଳ କରୁଥିବା ବେଳେ ଶୁକ୍ରବାରଠାରୁ ଏହି ବସ ଯାତ୍ରୀଙ୍କୁ ସେବା ପ୍ରଦାନ କରିବ। ରାଜଧାନୀରେ ମୋଟ ୫୦ଟି ଇ-ବସ ଚଳାଇବାକୁ କ୍ରୁଟ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ଟି ଇ-ବସ ଚଳାଚଳ କରିବ। ପରବର୍ତ୍ତୀ ସମୟରେ ଅବଶିଷ୍ଟ ୪୦ ଇ-ବସ ଆଣି ଚଳାଚଳ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅନ୍ୟପଟେ ସହରରେ ମାଳମାଳ ଡିଜେଲ ଚାଳିତ ଅଟୋ ଗଡିବା ଦ୍ବାରା ସେଥିରୁ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ ଯୋଗୁଁ ବାୟୁମଣ୍ଡଳ ଦୂଷିତ ହେଉଛି। ପୁଣି ଟ୍ରାଫିକ ଭିଡ ଲାଗି ରହୁଛି। ତେଣୁ ଡିଜେଲ ଚାଳିତ ଅଟୋ ପରିବର୍ତ୍ତେ ଇ-ରିକ୍ସା ଚଳାଇବାକୁ ସରକାର ପ୍ରାଧ୍ୟାନ୍ୟ ଦେଇଛନ୍ତି। ଭୁବନେଶ୍ୱରକୁ ସବୁଜ ସହର ବା ପ୍ରଦୂଷଣ ମୁକ୍ତ ସହର ଭାବେ ଗଢି ତୋଳିବା ଲକ୍ଷ୍ୟରେ ସ୍ମାର୍ଟସିଟି ପକ୍ଷରୁ ନିଆଯାଉଛି ଏହିଭଳି ପଦକ୍ଷେପ। ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଉଛନ୍ତି।

Breaking News