Report Card Odisha

| Daily Odia News

ଭାରତ-ମାଳଦୀପ ସମ୍ପର୍କ ଶିଖରରେ ପହଂଚିଛି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତ-ମାଳଦୀପ ସମ୍ପର୍କ ଶାନ୍ତି ସ୍ଥିରତା ଓ ସମୃଦ୍ଧିର ସ୍ରୋତ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି | ଆଜିଠାରୁ ଚାରି ଦିନିଆ ଭାରତ ଗସ୍ତରେ ଆସିଛନ୍ତି ମାଳଦୀପ ରାଷ୍ଟ୍ରପତି ଇବ୍ରାହିମ୍‍ ମହମ୍ମଦ ସୋଲିଙ୍କ ସହ ଶ୍ରୀ ମୋଦୀ ଦିଲ୍ଲୀରେ ଆଲୋଚନା କରିବା ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଭାରତ ଏବଂ ମାଳଦୀପ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଶିଖରରେ ପହଂଚିଛି ଓ ଏଥି ସହିତ ଉଭୟ ଦେଶ ଅଧିକ ନିକଟତର ହୋଇ ପାରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କୋଭିଡ ମହାମାରୀ ସତ୍ୱେ ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇବାରେ ଲାଗିଛି। ଆଜି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା କାଳରେ ଗ୍ରେଟର ମାଲେରେ ଭାରତ ପକ୍ଷରୁ କରାଯାଉଥିବା ସୋସିଆଲ ହାଉସିଂ ୟୁନିଟ ପ୍ରକଳ୍ପ ନିର୍ମାଣର ସମୀକ୍ଷା କରାଯାଇଛି। ଭାରତ ଅଧିକ ୨ ହଜାର ସୋସିଆଲ ହାଉସିଂୟୁନିଟ ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବ ବୋଲି ଶ୍ରୀ ମୋଦୀ ଘୋଷଣା କରିଛନ୍ତି। ସେଠାରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକ ଯେଭଳି ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ ତାହା ନିଶ୍ଚିତ କରିବା ପାଇଁ ଭାରତ ଅତିରିକ୍ତ ୧୦୦ ମିଲିଅନ ଡଲାର ଋଣ ଯୋଗାଇ ଦେବା ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ ଅପରାଧ, ଆତଙ୍କବାଦ ଓ ନିଶାଦ୍ରବ୍ୟ କାରବାର ଦିନକୁ ଦିନ ଗମ୍ଭୀର ଆକାର ଧାରଣ ଅରୁଥିବା କହିଛନ୍ତି। ତେଣୁ ଉଭୟ ଦେଶ ମଧ୍ୟରେ ସୁରକ୍ଷା ଜଡିତ ସମ୍ପର୍କ ଆହୁରି ଦୃଢ଼ୀଭୁତ ହେବା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ମାଳଦୀପର ପ୍ରତ୍ୟେକଟି ସମସ୍ୟାର ସମାଧାନ ନିମନ୍ତେ ଭାରତ ପ୍ରଥମେ ସହାୟତା ଦେଇଛି ଓ ଏହା ଜାରି ରହିବ।

Breaking News