ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେ ଆତ୍ମସମର୍ପଣ କରିବୁ ନାହିଁ। ଚୀନ୍ ଥରକୁ ଥର ସତର୍କ କରିବା ପରେ ମଧ୍ୟ ପିଲୋସି ତାଇୱାନ୍ ଗସ୍ତ କରିବାରୁ ଚୀନ୍ କ୍ରୋଧାନ୍ବିତ ହୋଇ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ତାଇୱାନ୍ ଦ୍ବୀପ ଚାରିପଟେ ସମରାଭ୍ୟାସ ବୃଦ୍ଧି କରିଛି। ଆଜି ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧି ସଭାର ବାଚସ୍ପତି ନେନ୍ସି ପିଲୋସିଙ୍କୁ ଆତିଥ୍ୟ ଦେବାବେଳେ ଚୀନ୍କୁ ଉଦ୍ଦେଶ୍ୟ କରି ତାଇୱାନ୍ର ରାଷ୍ଟ୍ରପତି ସାଇ ଇଙ୍ଗ୍-ୱେନ୍ କହିଛନ୍ତି | ମଙ୍ଗଳବାର ଦିନ ପିଲୋସି ତାଇୱାନ୍ରେ ପହଞ୍ଚିବାକ୍ଷଣି ଚୀନ୍ ବେଜିଙ୍ଗ୍ରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତଙ୍କୁ ପରିଣାମ ଅତ୍ୟନ୍ତ ଭୟାବହ ହେବ ବୋଲି ଜଣାଇବା ସହ ତାଇୱାନ୍ ଚତୁର୍ପାଶ୍ବରେ ସମରାଭ୍ୟାସ ଆରମ୍ଭ କରିଥିବା କଥା ଘୋଷଣା କରିଛି। ଭୀଷଣ ସାମରିକ ବିପତ୍ତିର ସମ୍ମୁଖୀନ ହେଉଥିବା ଜାଣି ମଧ୍ୟ ତାଇୱାନ୍ ଆତ୍ମସମର୍ପଣ କରିବ ନାହିଁ। ଆମେ ଗଣତନ୍ତ୍ରର ପାଇଁ ଥିବା ପ୍ରତିରକ୍ଷା ପଥରେ ଯାତ୍ରା କରିବୁ ବୋଲି ତାଇପେଇରେ ଆୟୋଜିତ କାର୍ଯ୍ୟକ୍ରମରେ ପିଲୋସିଙ୍କ ଉପସ୍ଥିତିରେ ସାଇ କହିଛନ୍ତି। ସଙ୍କଟଜନକ ସମୟରେ ତାଇୱାନ୍ ପ୍ରତି ଦୃଢ ସମର୍ଥନ ଦର୍ଶାଇବା ଲାଗି ବାସ୍ତବ ପଦକ୍ଷେପ ଗ୍ରହଣ କରିଥିବାରୁ ସେ ପିଲୋସିଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ, ବିଶ୍ବ ଦରବାରରେ ଚୀନ୍ ତାଇୱାନ୍କୁ ପୃଥକ୍ ରଖିବାକୁ ଉଦ୍ୟମ କରିବା ସହ ତାଇପେଇ ସହିତ ସରକାରୀସ୍ତରରେ ଆଦାନପ୍ରଦାନ ଚଳାଇଥିବା ଦେଶମାନଙ୍କୁ ବିରୋଧ କରୁଛି। ସେହିପରି, ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ପିଲୋସି କହିଛନ୍ତି, ମେନ୍ଲାଣ୍ଡ୍ ଚୀନ୍ରେ ଯାହା ଘଟୁଛି, ଗଣତନ୍ତ୍ରର ପ୍ରତିବାଦ ତା’ର ଘୋର ବିରୋଧାଭାସ ପ୍ରଦର୍ଶନ କରୁଛି। ହଙ୍ଗ୍କଙ୍ଗ୍ରେ ଯାହା ଘଟୁଛି ସେଥିପାଇଁ ଆଉ ଅଧିକ ପ୍ରମାଣ ଲୋଡ଼ାନାହିଁ। ଗୋଟିଏ ଦେଶରେ ଦୁଇଟି ଶାସନ ବ୍ୟବସ୍ଥା ଚାଲେନାହିଁ। ତାଇୱାନ୍ରେ ବଳପୂର୍ବକ କିଛି ଘଟୁ ବୋଲି ଆମେ ଚାହୁଁନା।






More Stories
ଏବେ ବେରୋଜଗାର ପ୍ରସଙ୍ଗ…..
ସିଷ୍ଟମ ସଂଶୋଧନ ପାଇଁ Gen Z,ରାଜନୈତିକ ମହଲରେ ଝଡ଼!……
ନ୍ୟାୟିକ କାର୍ଯ୍ୟର ରିପୋର୍ଟିଂ ଉପରେ କଟକଣା ନାହିଁ…..