Report Card Odisha

| Daily Odia News

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଝାଡ଼ଖଣ୍ଡ ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୩.୧ କିମି ଉଚ୍ଚତାରେ ରହିଛି। ଏଥିସହ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ଗତକାଲି ରହିଥିବା ଏକ ଘୂର୍ଣ୍ଣିବଳୟ ଏବେ ଉତ୍ତର-ଉପକୂଳ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୪.୫କିମି ଉଚ୍ଚତାରେ ଦକ୍ଷିଣପଶ୍ଚିମ ଆଡ଼କୁ ଢଳି ରହିଛି। ଆସନ୍ତା ୪୮ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚି-କେନ୍ଦ୍ରୀୟ ‌ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପ୍ରଭାବରେ ୭ରୁ ୯ତାରିଖ ଯାଏ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏହାପରେ ୧୩ ତାରିଖ ଆଡ଼କୁ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆଜି ରାଜ୍ୟର ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବରଗଡ଼, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ‌ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିଭଳି ୭ ତାରିଖ ଦିନ ଲଘୁଚାପ ପ୍ରଭାବରେ ବର୍ଷା ଆରମ୍ଭ ହୋଇଯିବ। ପାଣିପା‌ଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଅଗଷ୍ଟର ପ୍ରଥମ ଲଘୁଚାପ ଆଜି ସୃଷ୍ଟି ହେବାକୁ ଯାଉଛି। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଥିବାବେଳେ ଉତ୍ତର ଓଡ଼ିଶାରେ ବହୁତ କମ୍‌ ବର୍ଷା ହେବାର ସମ୍ଭାବନା ରହିଛି। ଆକଳନ କରାଯାଉଛି ଯେ ଶନିବାର (୬ ତାରିଖ) ଉପର ବେଳାରୁ ରାତି ମଧ୍ୟ‌ରେ ଦକ୍ଷିଣ ଓଡ଼ିଶା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ତାହା ସମୁଦ୍ରରେ ୨ ଦିନ ରହି ୯ ତାରିଖରେ ଛତିଶଗଡ଼ ମୁହାଁଇବ। ୧୧ ତାରିଖରେ ମହାରାଷ୍ଟ୍ର ସଂଲଗ୍ନ ଗୁଜରାଟରେ ରହିବ। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୬ରୁ ୯ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ। ସେହିଭଳି, ୧୩ ତାରିଖରେ ଏହି ମାସର ଦ୍ବିତୀୟ ଲଘୁଚାପ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ସଂଲଗ୍ନ ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଦ୍ବାରା ଉତ୍ତର ଓଡ଼ିଶା ସହ ସମଗ୍ର ଓଡ଼ିଶାରେ ବିସ୍ତୃତ ବର୍ଷା ହୋଇପାରେ। ଦକ୍ଷିଣ ଓଡ଼ିଶାର ନଦୀ, ବିଶେଷ କରି ବଂଶଧରା ଓ ନାଗାବଳୀ ଫୁଲିବାର ସମ୍ଭାବନା ରହିଛି ବୋଲି ଡ. ପଶୁପ‌ାଳକ ପୂର୍ବାନୁମାନ କରିଛନ୍ତି।

Breaking News