Report Card Odisha

| Daily Odia News

ଦିଲ୍ଲୀରୁ ଉଦ୍ଧାର ହେଲା ୨୦୦୦ ଗୁଳି,୬ ଗିରଫ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଗକୁ ଆସୁଛି ସ୍ୱାଧୀନତା ଦିବସ | ଏହା ପୂର୍ବରୁ ଦିଲ୍ଲୀରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଚୋରାଚାଲାଣ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୬ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ପାଖରୁ ୨୦୦୦ ଅଫୁଟା ଗୁଳି ସମେତ ବିପୁଳ ପରିମାଣର ଆଗ୍ନେୟାସ୍ତ୍ର ଉଦ୍ଧାର କରାଯାଇଛି। ଗୁଳି ଭର୍ତ୍ତି ୨ଟି ବ୍ୟାଗ୍‌ ସହ ଅଭିଯୁକ୍ତମାନଙ୍କୁ ଜାତୀୟ ରାଜଧାନୀର ଆନନ୍ଦ ବିହାରରୁ ଗିରଫ କରାଯାଇଛି। ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରିରହିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଗଷ୍ଟ ୧୫ ତାରିଖରେ ଭାରତର ୭୫ତମ ସ୍ବାଧୀନତା ଦିବସ ପାଳନ କରାଯାଉଥିବାରୁ ଜାତୀୟ ରାଜଧାନୀ ଦିଲ୍ଲୀର ସବୁ ପ୍ରାନ୍ତରେ ସୁରକ୍ଷା ବ୍ୟବସ୍ଥା କଠୋର କରାଯାଇଛି। ପୋଲିସ ‌ପାଟ୍ରୋଲିଙ୍ଗ୍‌ କରିବା ସହିତ ଯାନବାହନ ତଲାସ କରୁଛି। ମେଟ୍ରୋ ଷ୍ଟେସନ୍‌, ରେଳ ଷ୍ଟେସନ୍‌, ବିମାନ ବନ୍ଦର ଏବଂ ବଜାର ସମେତ ଦିଲ୍ଲୀ ସମସ୍ତ ସ୍ପର୍ଶକାତର ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କଥା ପୋଲିସ କହିଛି। ହୋଟେଲ୍‌, ପାର୍କିଙ୍ଗ୍‌ସ୍ଥଳୀ ଏବଂ ରେସ୍ତୋରାଁରେ ତଲାସ କରାଯିବା ସହିତ ଭଡ଼ାଟିଆ ଏବଂ ସେବକମାଙ୍କର ଯାଞ୍ଚ ପ୍ରକ୍ରିୟା ଅଭିଯାନ ମଧ୍ୟ ଆରମ୍ଭ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଆଇନ-ଶୃଙ୍ଖଳାର ସ୍ବତନ୍ତ୍ର ପୁଲିସ କମିସନର୍‌ ଦେପେନ୍ଦ୍ର ପାଠକ ମଧ୍ୟ କହିଛନ୍ତି, ସ୍ବାଧୀନତା ଦିବସ ଅବସରରେ ଲାଲ୍‌ କିଲାକୁ ପଡ଼ିଥିବା ବିଭିନ୍ନ ରାସ୍ତାରେ ଏବଂ ସ୍ବାଧୀନତା ଦିବସ ପାଳନ ସ୍ଥଳକୁ ପଡ଼ିଥିବା ରାସ୍ତାରେ ୧୦,୦୦୦ରୁ ଅଧିକ ପୋଲିସ ଙ୍କୁ ମୁତୟନ କରାଯିବ। ସେଦିନ ପାଇଁ ଆମେ ତ୍ରୁଟିହୀନ ଏବଂ ନିର୍ଭରଯୋଗ୍ୟ ନିରାପତ୍ତା ବ୍ୟବସ୍ଥା କରିଛୁ।

 

Breaking News