ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡ଼ାସ୍ଥିତ ପାମ୍ ବିଚ୍ରେ ଥିବା ଘର ମାର୍-ଏ-ଲାଗୋ ରିସର୍ଟରେ ଏଫବିଆଇ ଚଳିତ ସପ୍ତାହରେ ଚଢ଼ଉ କରିଥିଲା | ଏହାର ରହସ୍ୟ ଧୀରେ ଧୀରେ ଖୋଲିବାରେ ଲାଗିଛି । ଆଣବିକ ଅସ୍ତ୍ରଶସ୍ତ୍ର ସଂକ୍ରାନ୍ତ ଦସ୍ତାବିଜ୍ ଏଫ୍ବିଆଇର ଅଧିକାରୀମାନେ ଖୋଜୁଥିଲେ। ତେବେ ସେମାନେ ଏହି ଦସ୍ତାବିଜ୍ ପାଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଆମେରିକାର ନ୍ୟାୟ ବିଭାଗ ଗୁରୁବାର ଜଣେ ବିଚାରପତିଙ୍କୁ ଏକ ଅନୁରୋଧ କରିଛି। କେଉଁ କେଉଁ ୱାରେଣ୍ଟ ବଳରେ ମାର୍-ଏ-ଲାଗୋରେ ଏଫବିଆଇ ଚଢ଼ଉ କରିଥିଲା ତାହାକୁ ସାର୍ବଜନୀନ କରିବା ପାଇଁ ନ୍ୟାୟ ବିଭାଗ ଅନୁରୋଧ କରିଛି। ୨୦୨୧ ଜାନୁଆରିରେ ଟ୍ରମ୍ପ ହ୍ବାଇଟ୍ ହାଉସ୍ ଛାଡ଼ିବା ପରେ କିଛି ଗୁରୁତ୍ବପୂର୍ଣ୍ଣ ରେକର୍ଡ ତାଙ୍କ ସାଥୀରେ ବେଆଇନ ଭାବେ ନେଇଥିଲେ କି ନାହିଁ ତାହା ଉକ୍ତ ତଦନ୍ତର ଅଂଶବିଶେଷ ରହିଛି। ଟ୍ରମ୍ପ ନେଇଯାଇଥିବା କାଗଜପତ୍ର ଗୋପନ ବର୍ଗରେ ଆସୁଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ବାରା ନିଯୁକ୍ତ ଆଟର୍ଣ୍ଣି ଜେନେରାଲ ମେରିକ୍ ଗାର୍ଲ୍ୟାଣ୍ଡ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ସେ ବ୍ୟକ୍ତିଗତ ଭାବେ ଉକ୍ତ ଯାଞ୍ଚକୁ ମଞ୍ଜୁରି ଦେଇଥିଲେ। ନ୍ୟାୟ ବିଭାଗ ମଧ୍ୟ ଜବତ କାଗଜପତ୍ରଗୁଡ଼ିକୁ ସାର୍ବଜନୀନ କରିବାକୁ ଚାହୁଛି। ତଦନ୍ତ ଚାଲିଥିବାବେଳେ ଏପ୍ରକାର ଚଢ଼ଉ ସଂପର୍କରେ ଏଫବିଆଇର ଅଧିକାରୀମାନେ ସାଧାରଣତଃ ବାହାରେ କୌଣସି ସୂଚନା ଦେଇ ନଥାନ୍ତି। ଜନସାଧାରଣଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଏହା କରାଯାଇ ନଥାଏ। କିନ୍ତୁ ଟ୍ରମ୍ପ ନିଜଆଡ଼ୁ ଏହି ଚଢ଼ଉ ସଂପର୍କରେ ସୋମବାର ରାତିରେ ଘୋଷଣା କରିଥିଲେ। ଅବଶ୍ୟ ଚଢ଼ଉ ସମୟରେ ଟ୍ରମ୍ପ ତାଙ୍କ ଫ୍ଲୋରିଡାସ୍ଥିତ ଘରେ ନଥିଲେ। ତେଣୁ କେଉଁ ପରିସ୍ଥିତିରେ ଓ କାହିଁକି ଏହି ଚଢ଼ଉ କରାଯାଇଛି ତାହା ସାର୍ବଜନୀନ କରିବା ପାଇଁ ନ୍ୟାୟ ବିଭାଗ ବିଚାରପତିଙ୍କୁ ଅନୁରୋଧ କରିଛି ବୋଲି ଗାର୍ଲ୍ୟାଣ୍ଡ୍ କହିଛନ୍ତି। ଏକ ସୂତ୍ରରୁ ଜଣାଯାଇଛି ଯେ ଏଫବିଆଇର ଅଧିକାରୀମାନେ ଟ୍ରମ୍ପଙ୍କ ଘରୁ ପ୍ରାୟ ୧୦ଟି ବାକ୍ସ ପାଇଛନ୍ତି। ତେବେ ୱାରେଣ୍ଟକୁ ସାର୍ବଜନୀନ କରାଯିବାକୁ ଟ୍ରମ୍ପଙ୍କ ଆଇନଜୀବୀମାନେ ବିରୋଧ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..