Report Card Odisha

| Daily Odia News

ବାବା ରାମଦେବ ଙ୍କୁ ତାଗିଦ କଲେ ସୁପ୍ରିମ୍‌କୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଯୋଗଗୁରୁ ବାବା ରାମଦେବ ପତଞ୍ଜଳି ଦ୍ରବ୍ୟ ଉପରେ ଟିପ୍ପଣୀ ଦେବାକୁ ଯାଇ ଅନେକ ସମୟରେ ଏଲୋପାଥି ଓ ଅନ୍ୟ ଚିକିତ୍ସା ବ୍ୟବସ୍ଥାକୁ ସମାଲୋଚନା କରିଥାନ୍ତି | ଏଥିରୁ ନିବୃତ୍ତ ରହିବାକୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ କହିଛନ୍ତି। ଇଣ୍ଡିଆନ ମେଡିକାଲ ଆସୋସିଏସନ ଦ୍ବାରା ଆଗତ ପିଟିସନ ଉପରେ ବିଚାର କରି ପ୍ରଧାନବିଚାରପତି ଜଷ୍ଟିସ୍ ଏନ୍‌ଭି ରମଣାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏ ବାବଦରେ କେନ୍ଦ୍ର ସରକାର ଓ ପତଞ୍ଜଳି ଆୟୁର୍ବେଦକୁ ନୋଟିସ୍ ଜାରି କରିଛନ୍ତି। ପତଞ୍ଜଳି ଉତ୍ପାଦର ବିଭିନ୍ନ ବିଜ୍ଞାପନରେ ଏଲୋପାଥି ଚିକିତ୍ସା ବ୍ୟବସ୍ଥାକୁ ସମାଲୋଚନା କରାଯିବା ସହ ଲୋକଙ୍କ ମୃତ୍ୟୁ ଓ ରୋଗଯନ୍ତ୍ରଣା ପାଇଁ ଏହାକୁ ଦାୟୀ କରାଯାଇଛି। ଜଷ୍ଟିସ୍ ରବିକୁମାର ଓ ହିମା କୋହଲି ଅନ୍ୟତମ ସଦସ୍ୟ ଥିବା ତିନିଜଣିଆ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି, ବାବା ରାମଦେବ ଡାକ୍ତରମାନଙ୍କୁ ଓ ଅନ୍ୟ ଚିକିତ୍ସା ବ୍ୟବସ୍ଥାକୁ କାହିଁକି ନିନ୍ଦା କରିବେ? ଅନ୍ୟ ଚିକିତ୍ସା ବ୍ୟବସ୍ଥାକୁ ସେ ସମାଲୋଚନା କରିପାରିବେ ନାହିଁ। ସେ ଯେଉଁ ଚିକିତ୍ସା ବ୍ୟବସ୍ଥା ସପକ୍ଷରେ ଓକିଲାତି କରୁଛନ୍ତି, ତାହାଦ୍ବାରା ସମସ୍ତଙ୍କର ସବୁ ରୋଗ ଭଲ ହେବାର କି ଗ୍ୟାରେଣ୍ଟି ଅଛି | ଆଇଏମ୍‌ଏ ପକ୍ଷରୁ କେସ୍ ଲଢ଼ୁଥିବା ଓକିଲ ପ୍ରଭାସ ବଜାଜ ଖଣ୍ଡପୀଠ ଆଗରେ ପତଞ୍ଜଳିର ବିଜ୍ଞାପନଗୁଡ଼ିକୁ ଦେଖାଇଥିଲେ ଯେଉଁଥିରେ ଲୋକଙ୍କ ମୃତ୍ୟୁ ଓ ଦୁରାରୋଗ୍ୟ ବ୍ୟାଧି ପାଇଁ ଏଲୋପାଥିକୁ ଦାୟୀ କରାଯାଇଛି। କୋଭିଡ୍-୧୯ର ଦ୍ବିତୀୟ ଲହର ଚାଲିଥିବା ବେଳେ ଏଭଳି ଅନେକ ବିଜ୍ଞାପନ ପ୍ରକାଶ ପାଇଥିଲା। ‌କୋଭିଡ୍‌-୧୯ରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ପାଇଁ ଏଲୋପାଥି ଚିକିତ୍ସା ବ୍ୟବସ୍ଥା ଦାୟୀ ବୋଲି ଏହିସବୁ ବିଜ୍ଞାପନରେ ଅଭିଯୋଗ କରାଯାଇଛି। ମଧୁମେହ ଓ ରକ୍ତଚାପ ରୋଗକୁ ଆୟୁର୍ବେଦ ଚିକିତ୍ସା ଦ୍ବାରା ସେମାନେ ପୂରା ଭଲ କରିଦେବେ ବୋଲି ଦାବି କରୁଛନ୍ତି। ପ୍ରଧାନବିଚାରପତି ପଚାରିଥିଲେ, ସେ (ରାମଦେବ) କେମିତି କହିପାରିବେ ଯେ ସବୁ ଏଲୋପାଥି ଡାକ୍ତର ହେଉଛନ୍ତି ହତ୍ୟାକାରୀ?

Breaking News