Report Card Odisha

| Daily Odia News

ତାଳଚେର ସମ୍ପ୍ରସାରଣ ପାଇଁ ୧୧,୮୪୪ କୋଟି ନିବେଶ କରିବ ଏନ୍‌ଟିପିସି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଓଡ଼ିଶାର ତାଳଚେରରେ ୧୩୨୦ ମେଗାୱାଟ୍‌ର ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ପାଇଁ ରାଷ୍ଟ୍ରାୟତ୍ତ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥା ଏନ୍‌ଟିପିସି ୧୧,୮୪୩ କୋଟି ଟଙ୍କା ନିବେଶ କରିବ। ଏହି ପ୍ରସ୍ତାବକୁ କଂପାନିର ନିର୍ଦ୍ଦେଶକ ବୋର୍ଡ ମଞ୍ଜୁରି ପ୍ରଦାନ କରିଛନ୍ତି । ତାଳଚେର ଥର୍ମାଲ ପାୱାର ଷ୍ଟେସନ ହେଉଛି ଦେଶର ପୁରାତନ ପ୍ଲାଣ୍ଟ୍‌। ସେଥିରେ ୬୦ ମେଗାୱାଟ୍‌ର ଚାରିଟି ଓ ୧୧୦ ମେଗାୱାଟ୍‌ର ଦୁଇଟି ୟୁନିଟ୍ ରହିଛି। ସେହି ସ୍ଥାନରେ ୬୬୦ ମେଗାୱାଟ୍‌ ଲେଖାଏଁ ଦୁଇଟି ୟୁନିଟ୍‌ ଭାବେ ମୋଟ ୧୩୨୦ ମେଗାୱାଟ୍‌ର ସମ୍ପ୍ରସାରଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ତାଳଚେର ଥର୍ମାଲ୍‌ ପାୱାର ଷ୍ଟେସନକୁ ଓଡ଼ିଶା ସରକାର ନିର୍ମାଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୨୪୦ ମେଗାୱାଟ୍‌ ୟୁନିଟ୍‌କୁ ୧୯୬୮ରେ କାର୍ଯ୍ୟକ୍ଷମ କରାଯାଇଥିଲା ଓ ୧୯୮୨ରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୨୨୦ ମେଗାୱାଟ୍‌ ୟୁନିଟ୍‌କୁ ‌ସେଥିରେ ଯୋଡ଼ାଯାଇଥିଲା। ୧୯୯୫ରେ ସେହି କାରଖାନାକୁ ଏନ୍‌ଟିପିସି ଅଧିଗ୍ରହଣ କରିଥିଲା। ସେହି କାରଖାନାର ସମ୍ପ୍ରସାରଣ କରିବା ଲାଗି ୨୦୧୦ରେ କଂପାନି ଏକ ଯୋଜନା ପ୍ରସ୍ତୁତ କରିଥିଲା। ୬୬୦ ମେଗାୱାଟ୍ ବିଶିଷ୍ଟ ଦୁଇଟି ବଡ଼ ୟୁନିଟ୍ ସ୍ଥାପନ କରିବା ଯୋଜନା ଥିଲା। ଏହା ପରେ ସଙ୍ଗେ ସଙ୍ଗେ ସେହି ପ୍ରସ୍ତାବିତ କାରଖାନା ଲାଗି ଗ୍ରିଡ୍‌କୋ ପକ୍ଷରୁ ଏନ୍‌ଟିପିସି ସହିତ ୬୬୦ ମେଗାୱାଟ୍ ବିଦ୍ୟୁତ କିଣିବା ଲାଗି ବିଦ୍ୟୁତ କିଣା ବୁଝାମଣା (ପିପିଏ) ସ୍ବାକ୍ଷରିତ ହୋଇଥିଲା। ଦୀର୍ଘ ୧୦ ବର୍ଷ ପରେ ୨୦୨୦ ଫେବ୍ରୁଆରିରେ ଏହି ପ୍ରସ୍ତାବିତ ସମ୍ପ୍ରସାରଣ ଯୋଜନାକୁ ଓଡ଼ିଶା ସରକାର ମଞ୍ଜୁରି ପ୍ରଦାନ କରିଥିଲେ। ଅନୁମୋଦନ ମିଳିବାରେ ବିଳମ୍ବ ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ଠିକ୍ ସମୟରେ ଆରମ୍ଭ ହୋଇପାରିନଥିଲା। ଟିଟିପିଏସ୍‌ ସମ୍ପ୍ରସାରଣ ପ୍ରକଳ୍ପ ୨୦୨୬ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଏନ୍‌ଟିପିସି ପକ୍ଷରୁ ମାର୍ଚ୍ଚରେ କୁହାଯାଇଥିଲା। ପୁରୁଣା କାରଖାନା ସ୍ଥାନରେ ନୂଆ କାରଖାନା ବସାଇବା ଲାଗି ଟେଣ୍ଡର ଆହ୍ବାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଥରେ କାମ ଆରମ୍ଭ ହେଲେ ୪୮ ମାସ ଭିତରେ ଶେଷ ହେବ ବୋଲି କଂପାନିର ଜଣେ ଅଧିକାରୀ କହିଥିଲେ।

Breaking News