Report Card Odisha

| Daily Odia News

ଡି.ଏ.ଭି କଳିଙ୍ଗ ନଗରରେ ମେଧାବୀ ସମ୍ବର୍ଦ୍ଧନା….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଡି.ଏ.ଭି କଳିଙ୍ଗ ନଗର ପରିସରରେ ଶିକ୍ଷାବର୍ଷ ୨୦୨୧-୨୨ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ ପୁରସ୍କୃତ କରାଯାଇଛି । ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ଭୁବନେଶ୍ୱର ସ୍ଥିତ ଏମ୍‌ସର ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦଶମ, ଦ୍ୱାଦଶ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଶୀର୍ଷସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ | ଏକାଗ୍ରତାପୂର୍ବକ ବିଦ୍ୟାଧ୍ୟୟନ କଲେ ସଫଳତା ଅବଶ୍ୟମ୍ଭାବୀ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଚେୟାରମ୍ୟାନ୍ ମଦନ ମୋହନ ପଣ୍ଡା, ଡି.ଏ.ଭି ଚନ୍ଦ୍ରଶେଖରପୁରର ଭାଇସ୍ ଚେୟାରମ୍ୟାନ ଶରତ ଚନ୍ଦ୍ର ମିଶ୍ର, ଡି.ଏ.ଭି ଅନୁଷ୍ଠାନ ସମୂହର ସହ ଆଞ୍ଚଳିକ ନିର୍ଦ୍ଦେଶିକା ଡ. ସୁଜାତା ଓ ଈପ୍‌ସିତା ଦାସ ପ୍ରମୁଖ ଉପସ୍ଥିତ ରହି ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ, ଏନ.ଟି.ଏସ.ଇ, ସର୍ବାଧିକ ବ୍ୟବଧାନ ଓ ବିଭିନ୍ନ ବିଷୟରେ ସର୍ବାଧିକ ନମ୍ବର ରଖିଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

କାର୍ଯ୍ୟକ୍ରମର ଆରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଉତ୍ସବର ଆନୁଷ୍ଠାନିକ ଉଦ୍‌ଘାଟନ କରାଯାଇଥିବାବେଳେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ପରୀକ୍ଷାରେ ବିଦ୍ୟାଳୟର ସଫଳତା ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ପର୍ଯ୍ୟବେକ୍ଷକ ପର୍ଯ୍ୟବେକ୍ଷିକା ତଥା ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟକ୍ରମଟି ସୂଚାରୁରୁପେ ସମ୍ପାଦିତ ହୋଇଥିଲା । ବିଦ୍ୟାଳୟର ଏହି ଉଦ୍ୟମକୁ ଅଭିଭାବକ ମହଲରେ ଉଚ୍ଚପ୍ରଶଂସା କରାଯାଇଛି ।

Breaking News