ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୀର୍ଘ ଦୁଇ ଦଶନ୍ଧି ପରେ ଇଡକୋ ଅଧିଗ୍ରହଣ କରିଥିବା ଚାଷ ଜମିକୁ ଚାଷୀମାନେ ଫେରିପାଇବେ। ଗଞ୍ଜାମ ଜିଲ୍ଲାର ଗୋପାଳପୁର ଅନ୍ତର୍ଗତ କାଳିପଲ୍ଲୀ ମୌଜାରେ ଥିବା ୨୦୬.୬୮୫ ଏକର ଜମିକୁ ସେମାନଙ୍କର ମୂଳ ମାଲିକଙ୍କୁ ଫେରାଇ ଦେବା ନିମନ୍ତେ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି । ଏହି ଜମିକୁ ଟାଟା ଷ୍ଟିଲର ଇସ୍ପାତ ପ୍ରକଳ୍ପ ନିମନ୍ତେ ଇଡକୋ ଦ୍ୱାରା ଅଧିଗ୍ରହଣ ହୋଇଥିଲା । ଶୁକ୍ରବାର ରାଜ୍ୟ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଟାଟା ଷ୍ଟିଲ ପ୍ରକଳ୍ପ ନିମନ୍ତେ ଗୋପାଳପୁରର କାଳିପଲ୍ଲୀ ମୌଜାରେ ଇଡକୋ ଦ୍ୱାରା ଅଧିଗ୍ରହଣ ହୋଇଥିବା ୨୦୬.୬୮୫ଏକର ଜମିକୁ ତା’ର ମୂଳ ମାଲିକଙ୍କୁ ଫେରସ୍ତ କରାଯିବ । ଏହି ଜମିଗୁଡ଼ିକ ଫେରସ୍ତ ନିମନ୍ତେ ସ୍ଥାନୀୟ ଲୋକମାନେ ଦୀର୍ଘଦିନ ଧରି ଦାବି କରି ଆସୁଛନ୍ତି । ବୃହତ୍ତର ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏହି ଜମିଗୁଡ଼ିକୁ ତା’ର ମୂଳ ଖାତାଧାରୀ କିମ୍ବା ସେମାନଙ୍କର ଉତ୍ତରାଧିକାରୀଙ୍କୁ ଫେରସ୍ତ କରିବେ । ଏହି ଜମି ଅଧିଗ୍ରହଣବେଳେ ସେହି ଜମି ମାଲିକଙ୍କୁ ଦିଆଯାଇଥିବା କ୍ଷତିପୂରଣ ରାଶି ଆଉ ସେମାନଙ୍କୁ ଫେରସ୍ତ କରିବାକୁ ପଡ଼ିବ ନାହିଁ । ଏବେ ଇଡକୋ ଦ୍ୱାରା ସେହି ଜମି ମାଲିକମାନଙ୍କୁ ସେମାନଙ୍କ ଜମି ଫେରସ୍ତ କରାଯିବ ଓ ଏନେଇ ରେକର୍ଡରେ ମଧ୍ୟ ଆବଶ୍ୟକ ସଂଶୋଧନ କରାଯିବ । କ୍ୟାବିନେଟ ଆଜି ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..