ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଦ୍ବାରା ଦେଶରେ କାର୍ଯ୍ୟକାରୀ କରାଯାଇଥିବା ଏସ୍ଆଇଆର ପ୍ରକ୍ରିୟାକୁ ନେଇ ବିବାଦ ଲାଗି ରହିଥିବାବେଳେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଉଜ୍ଜ୍ବଳ ଭୂୟାଁଙ୍କ ମନ୍ତବ୍ୟ ଏହାକୁ ଆହୁରି ତୀବ୍ର କରିଛି। ରବିବାର ହାଇଦରାବାଦସ୍ଥିତ ନାଲସାର ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଷ୍ଟିସ୍ ଭୂୟାଁ କହିଛନ୍ତି ଯେ ଯେଉଁ ପ୍ରକ୍ରିୟା ଦ୍ବାରା ଦେଶର ଲକ୍ଷ ଲକ୍ଷ ନାଗରିକଙ୍କୁ ସେମାନଙ୍କ ମତଦାନ ଅଧିକାରରୁ ବଞ୍ଚିତ କରାଗଲା ତାହା ସମ୍ପୂର୍ଣ୍ଣ ରୂପେ ବେଆଇନ। କୌଣସି ପ୍ରକାର ଯୁକ୍ତି ଏହି କାର୍ଯ୍ୟକୁ ଉଚିତ ବୋଲି ଦର୍ଶାଇପାରିବ ନାହିଁ। ଭୋଟର ତାଲିକାରେ ଥରେ ଜଣଙ୍କ ନାମ ସଂଯୁକ୍ତ କରାଯିବା ପରେ ଏହାକୁ ବିନା କୌଣସି ନୋଟିସ କିମ୍ବା ଶୁଣାଣିରେ କାଟି ଦିଆଯାଇପାରିବ ନାହିଁ। କେବଳ ଭୋଟରଙ୍କ ମୃତ୍ୟୁ କ୍ଷେତ୍ରରେ ତାଙ୍କ ନାମ ତାଲିକାରୁ କାଟିଦିଆଯାଇପାରିବାର ନିୟମ ରହିଛି। ସେ କହିଛନ୍ତି ଯେ କୌଣସି ପ୍ରକ୍ରିୟା ଯୋଗୁଁ ଯଦି ଲକ୍ଷ ଲକ୍ଷ ଭାରତୀୟ ନାଗରିକ ନିଜର ମତାଧିକାର ହରାନ୍ତି, ତେବେ ତାହା ମୂଳରୁ ମନମୁଖି ଓ ସମ୍ବିଧାନ ବିରୋଧୀ ଅଟେ। ନାଗରିକମାନଙ୍କୁ ଭୋଟ୍ ଅଧିକାରରୁ ବଞ୍ଚିତ କରି ନିଜ ଦେଶରେ ‘ଦ୍ୱିତୀୟ ଶ୍ରେଣୀ ନାଗରିକ’ ସୃଷ୍ଟି କରିବା ସମ୍ବିଧାନର ମୂଳ ଢାଞ୍ଚାକୁ ଦୁର୍ବଳ କରିଥାଏ। ଜଣେ ଭାରତୀୟ ନାଗରିକକୁ ଭୋଟ ଦେବାର ଅଧିକାର କିମ୍ବା ଭୋଟର ତାଲିକାରେ ନାମ ସାମିଲ ହେବାର ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ। ଏହା ଶରୀରରୁ ଆତ୍ମାକୁ ବାହାର କରିଦେବା ସହ ସମାନ। କୌଣସି ପ୍ରଶାସନିକ କର୍ତ୍ତୃପକ୍ଷ ନାଗରିକଙ୍କୁ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ କରିପାରିବେ ନାହିଁ ଓ କୌଣସି ଅଦାଲତ ଏହାକୁ ଗ୍ରହଣ କରିପାରିବେ ନାହିଁ। ଏପରି କରାଯିବା ଦ୍ବାରା ସମ୍ବିଧାନର ଧାରା ୩୨୬ର ଉଲ୍ଲଙ୍ଘନ ହୋଇଥାଏ। ସ୍ୱାଧୀନତା ସଂଗ୍ରାମର ତ୍ୟାଗକୁ ମନେ ପକାଇ ସେ କହିଥିଲେ ଯେ, ସମ୍ବିଧାନ ଜଣେ କୋଟିପତି ଓ ଜଣେ ରିକ୍ସାଚାଳକ ଦୁହିଁଙ୍କୁ ସମାନ ଭୋଟ୍ ଅଧିକାର ଓ ସମାନ ମୂଲ୍ୟ ପ୍ରଦାନ କରିଛି। ଗଣତନ୍ତ୍ରରେ ନାଗରିକଙ୍କ ଆସନ ସବୁଠାରୁ ଉଚ୍ଚରେ ବୋଲି ଆମେରିକୀୟ ବିଚାରପତି ଜଷ୍ଟିସ ଫେଲିକ୍ସ ଫ୍ରାଙ୍କଫର୍ଟରଙ୍କ ପ୍ରସିଦ୍ଧ ଉକ୍ତିକୁ ଉଦ୍ଧୃତ କରି ଜଷ୍ଟିସ ଭୁୟାଁ ପ୍ରଶ୍ନ କରିଛନ୍ତି ଯେ ଭୋଟ୍ ଦେବାର ଅଧିକାର ବିନା ଜଣେ ନାଗରିକର ମୂଲ୍ୟ ବା କ’ଣ?






More Stories
ସରକାରଙ୍କୁ ଅଭିଜିତ ଦୀପକେଙ୍କ ବଡ଼ ଚ୍ୟାଲେଞ୍ଜ….
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..