ରିପୋର୍ଟ କାର୍ଡ / ଗଞ୍ଜାମ
ଗୁଣିଗାରେଡ଼ି ସନ୍ଦେହରେ ସ୍ତ୍ରୀ ସାମ୍ନାରେ ସ୍ୱାମୀକୁ ପିଟି ଥିଲେ ଗାଁ ଲୋକେ। ଏହି ଘଟଣାକୁ ନେଇ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ। ଥାନାରେ କାହିଁକି ଏତଲା ଦେଲୁ କହି ଗ୍ରାମବାସୀନିରୀହ ମହିଳା ଜଣଙ୍କୁ ପିଟି ପିଟି ମାରି ଦେଇଛନ୍ତି । ଏପରି ଅମାନବୀୟ କାଣ୍ଡ ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମାଧିଆପଲ୍ଲୀ ଗାଁରେ। ମୃତ ମହିଳା ଜଣଙ୍କ ହେଲେ ଝୁନୁ ନାହାକ। ସୂଚନା ଅନୁଯାୟୀ, ଗତକାଲି ରାତିରେ ଗାଁର ଜଣେ ବ୍ୟକ୍ତି ଦେହରେ ପ୍ରେତାତ୍ମା ଲାଗିଥିଲା। ଗାଁର ଯୁଧିଷ୍ଠର ନାହାକଙ୍କ ସମେତ ୪ ଜଣ ବ୍ୟକ୍ତି ଗୁଣିଗାରେଡ଼ି କରୁଥିବା ସେ ଗ୍ରାମବାସୀଙ୍କୁ କହିଥିଲା। ଯୁଧିଷ୍ଠିରଙ୍କ ସହ ଅନ୍ୟମାନଙ୍କ ନାଁ ମଧ୍ୟ କହିଥିଲା। ଆଉ ଗ୍ରାମବାସୀ ଏହାକୁ ବିଶ୍ୱାସ କରିଥିଲେ। ତା’ପରେ ଗାଁରେ ସଭା ବସିଥିଲା। ଯୁଧିଷ୍ଠରଙ୍କ ସମେତ ଅନ୍ୟ ୩ଜଣଙ୍କୁ ସଭାରେ ଉପସ୍ଥିତ ରହିବାକୁ କୁହାଯାଇଥିଲା। ସେମାନେ ମଧ୍ୟ ସଭାରେ ଉପସ୍ଥିତ ହୋଇଥିଲେ। ସେଠାରେ ଗ୍ରାମବାସୀ ଓ ଉକ୍ତ ୪ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ଯୁଧିଷ୍ଠର ଓ ଅନ୍ୟ ୩ ଜଣଙ୍କୁ ନିର୍ଧୂମ ପିଟିଥିଲେ। ଗ୍ରାମବାସୀଙ୍କ ଏହି କାର୍ଯ୍ୟକୁ ଯୁଧିଷ୍ଠିରଙ୍କ ପତ୍ନୀ ଗ୍ରହଣ କରିପାରିନଥିଲେ। ସେ କବିସୂର୍ଯ୍ୟନଗର ଥାନା ପୋଲିସ କୁ ଘଟଣା ବିଷୟରେ ଜଣାଇଥିଲେ। ପୋଲିସ ପହଞ୍ଚି ଯୁଧିଷ୍ଠିର ଓ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରି ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ଏହାପରେ ଗ୍ରାମବାସୀ ଝୁନୁଙ୍କ ଘରେ ପଶି ପୂରା ପରିବାରକୁ ଆକ୍ରମଣ କରିଥିଲେ। ୨ ପୁଅ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ଝୁନୁ ରହି ଯାଇଥିଲେ। କାହିଁକି ଥାନାରେ ଅଭିଯୋଗ କଲୁ ବୋଲି କହି ଗ୍ରାମବାସୀ ତାଙ୍କୁ ନିସ୍ତୁକ ପିଟିଥିଲେ। ଘଟଣାସ୍ଥଳରେ ଝୁନୁଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ୨ ପୁଅ ଘରକୁ ଫେରି ମା’ର ମୃତଦେହ ପଡ଼ିଥିବା ଦେଖି ପୋଲିସ ଜଣାଇଥିଲେ। ପୋଲିସ ଗାଁରେ ପହଞ୍ଚି ୮ଜଣ ପୁରୁଷ ସହ ୫୦ରୁ ଅଧିକ ମହିଳାଙ୍କୁ ଉଠାଇ ନେଇଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ଗାଁରେ ଏସଡିପିଓଙ୍କ ସମେତ ୩ଟି ଥାନାର ଆଇଆଇସି ଓ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି |






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….