ରିପୋର୍ଟ କାର୍ଡ / ଭୁବନେଶ୍ୱର
କ୍ୟାପିଟାଲ ହସ୍ପିଟାଲରେ ନୂତନ ଭାବେ ଆରମ୍ଭ ହୋଇଥିବା ପିଜି ଇନ୍ଷ୍ଟିଟ୍ୟୁଟରେ ପାଠପଢା ଆରମ୍ଭ ହୋଇଥିବା ବେଳେ ଇତି ମଧ୍ୟରେ ଏହି ବହୁ ପ୍ରତୀକ୍ଷିତ ଶିକ୍ଷାନୁଷ୍ଠାନକୁ ତାହାର ନିଜସ୍ୱ ଲୋଗୋ ମିଳିଯାଇଛି। ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ ଆଣ୍ଡ କ୍ୟାପିଟାଲ ହସ୍ପିଟାଲର ନିଜସ୍ୱ ଲୋଗୋକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଉଭୟ ଇଂରାଜୀ ଓ ଓଡିଆ ଭାଷାରେ ପ୍ରସ୍ତୁତ ହୋଇଥିବା ଏହି ଲୋଗୋରେ କୋଣାର୍କର ଅଶ୍ୱ ସହିତ ଡାକ୍ତରୀ ଚିହ୍ନ ରହିଛି। ଏଣିକି ପିଜି ଶିକ୍ଷାନୁଷ୍ଠାନ ଏହାକୁ ବ୍ୟବହାର କରିପାରିବ। ଏହି ଲୋଗୋ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କ ସମେତ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଓ ବିଭାଗଗୁଡିକୁ ଅବଗତ କରାଯାଇଛି। ପିଜି ଇନ୍ଷ୍ଟିଟ୍ୟୁଟରେ ଶିକ୍ଷାଦାନ ସଂକ୍ରାନ୍ତରେ ଏହାର ନିର୍ଦ୍ଦେଶିକା ପ୍ରଫେସର ଡାକ୍ତର ନିବେଦିତା ପାଣି ଦେଇଥିବା କହିଛନ୍ତି ଯେ ଏଠାରେ ମଞ୍ଜୁରୀପ୍ରାପ୍ତ ୨୪ ଆସନ ମଧ୍ୟରେ ଉଭୟ ରାଜ୍ୟ ଓ ସର୍ବଭାରତୀୟ କୋଟାରେ ୧୨ଟି କରି ଆସନ ରହିଛି। ଏଠାରେ ଥିବା ବିଭିନ୍ନ ବିଭାଗ ମଧ୍ୟରେ ମେଡିସନ୍, ସର୍ଜରୀ, ସ୍ତ୍ରୀ ଓ ପ୍ରସୂତୀରେ ୫ଟି କରି ଆସନ ଥିବାବେଳେ, ପଲ୍ୟୁମନାରୀ ମେଡିସିନ୍ରେ ୩, ଶିଶୁ ବିଭାଗରେ ୪, ଅସ୍ଥିଶଲ୍ୟରେ ୨ଟି ଆସନ ରହିଛି। ରାଜ୍ୟ କୋଟାରେ ଥିବା ୧୨ଟି ଆସନରେ ନାମଲେଖା ସରିଥିବା ବେଳେ ସର୍ବଭାରତୀୟ କୋଟାରେ ୧୦ଜଣ ନାମ ଲେଖାଇଛନ୍ତି। ଖୁବ୍ଶୀଘ୍ର ଅବଶିଷ୍ଟ ଆସନ ପୂରଣ ହୋଇଯିବ। ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ଏଠାରେ ପାଠପଢା ଆରମ୍ଭ କରିବା ସହିତ ରୋଗୀ ଚିକିତ୍ସାରେ ମଧ୍ୟ ଯୋଗ ଦେଇଛନ୍ତି। ଏଠାରେ ପାଠପଢା ଆରମ୍ଭ କରିଥିବା ଛାତ୍ରଛାତ୍ରୀଙ୍କ ହଷ୍ଟେଲ ପାଇଁ ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲର ଅତି ନିକଟରେ ଥିବା ଆପାର୍ଟମେଣ୍ଟରେ ବାସଗୃହ ଯୋଗାଇ ଦେଇଛନ୍ତି। ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ସହିତ ରାଜିନାମା ହୋଇଛି। ହଷ୍ଟେଲ ସୁବିଧା ସହିତ ଛାତ୍ରଛାତ୍ରୀଙ୍କ ଖାଦ୍ୟ ପେୟ ଲାଗି ମେସ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..