Report Card Odisha

| Daily Odia News

ଜେଲ୍‌ରେ ଭିଡ଼ ନକରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ…..

ରିପୋର୍ଟ କାର୍ଡ / କଟକ

ରାଜ୍ୟର ଅନେକ ଜେଲ୍‌ରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ବନ୍ଦୀ ରହିଛନ୍ତି। ଯାଜପୁର ସବ୍ ଜେଲ୍‌ ଓ ଭଦ୍ରକ ସ୍ପେଶାଲ ଜେଲ୍‌ରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଯଥାକ୍ରମେ ୭୧ ଓ ୫୦ ପ୍ରତିଶତ ଅଧିକ ବନ୍ଦୀ ଏବେ ଅଛନ୍ତି। ଏଥିସହିତ ରାଜ୍ୟର ୧୭ଟି ଜେଲ୍‌ରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ୨୦ରୁ ୪୦ ପ୍ରତିଶତ ଅଧିକ ବନ୍ଦୀଙ୍କୁ ରଖାଯାଇଛି। ହାଇକୋର୍ଟରେ ଜେଲ୍‌ ସଂସ୍କାର ସଂପର୍କିତ ମାମଲାର ଶୁଣାଣି ସମୟରେ ଏଭଳି ଘଟଣା ସାମ୍‌ନାକୁ ଆସିଛି। ତେବେ, ଜେଲ୍‌ଗୁଡିକରେ ଭିଡ଼ ଏଡ଼ାଇବା ଉପରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ହାଇକୋର୍ଟଙ୍କ ଖଣ୍ଡପୀଠ ଗୁରୁତ୍ବାରୋପ କରିଛନ୍ତି। ଗୁରୁବାର ଦିନ ହାଇକୋର୍ଟରେ ଏ ସମ୍ପର୍କିତ ମାମଲାର ଶୁଣାଣି କରାଯାଇଛି। ଶୁଣାଣି ସମୟରେ ଜେଲ୍‌ ଡିଆଇଜିଙ୍କ ତରଫରୁ ସତ୍ୟପାଠ ଦାଖଲ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ବିଭିନ୍ନ ଜେଲ୍‌ର ଭିତ୍ତିଭୂମି ବିକାଶ କରାଯାଇ ଅଧିକ ସଂଖ୍ୟକ ବନ୍ଦୀ ରହିବା ପ୍ରସଙ୍ଗରେ ପଦକ୍ଷେପ ନିଆଯାଉଛି। ବିଭିନ୍ନ ଜେଲ୍‌ର କ୍ଷମତା ବୃଦ୍ଧି ପାଇଁ ଆବଶ୍ୟକ ନିର୍ମାଣ ଲାଗି ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ (ଓପିଏଚଡବ୍ଲୁସି)କୁ ଦାୟିତ୍ବ ଦିଆଯାଇଛି। ଏ ସଂପର୍କିତ କେତେକ ପ୍ରକଳ୍ପର କାର୍ଯ୍ୟ ଚଳିତବର୍ଷ ଶେଷ ସୁଦ୍ଧା ସରିବ ବୋଲି ଜେଲ୍‌ ଡିଆଇଜିଙ୍କ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ପରବର୍ତ୍ତୀ ଶୁଣାଣି ସମୟରେ ଓପିଏଚଡବ୍ଲୁସି ସିଏମ୍‌ଡି ଭର୍ଚୁଆଲ ମୋଡ୍‌ରେ ଉପସ୍ଥିତ ରହି ଜେଲ୍‌ଗୁଡ଼ିକର କ୍ଷମତା ବୃଦ୍ଧିପାଇଁ ଚାଲିଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟର ସାନି ସ୍ଥିତି ନେଇ ଅବଗତ କରିବେ ବୋଲି ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ପ୍ରକଳ୍ପଗୁଡ଼ିକ ଶେଷ ହେବାକୁ କ’ଣ ସମୟସୀମା ରହିଛି, ସେ ନେଇ ସିଏମ୍‌ଡି ଅବଗତ କରିବେ ବୋଲି ହାଇକୋର୍ଟ କହିଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭର୍ଚୁଆଲ ମୋଡ୍‌ରେ ଉପସ୍ଥିତ ରହି ଜେଲ୍‌ରେ ବନ୍ଦୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ପ୍ରଦାନ ପ୍ରସଙ୍ଗରେ ପକ୍ଷ ରଖିବେ ବୋଲି ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଭାବେ ଜେଲ୍‌ରେ ବନ୍ଦୀଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ମନସ୍ତତ୍ତ୍ବବିତ ଓ ଡାକ୍ତରଙ୍କ ନିୟୋଜନ ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି।

 

Breaking News