ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର ବିଧାୟକମାନଙ୍କର ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧାସୁଯୋଗରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏନେଇ ଗଠିତ କମିଟି ଆସନ୍ତା ଶୀତ ଅଧିବେଶନରେ ତାଙ୍କର ରିପୋର୍ଟ ବାଚସ୍ପତିଙ୍କୁ ପ୍ରଦାନ କରିବେ । ବିଭିନ୍ନ ରାଜ୍ୟରେ ବିଧାୟକମାନଙ୍କୁ ମିଳୁଥିବା ଦରମା,ଭତ୍ତା ଓ ସୁବିଧାସୁଯୋଗକୁ ଅନୁଧ୍ୟାନ କରିବା ପରେ କମିଟି ଓଡ଼ିଶାରେ ବିଧାୟକମାନଙ୍କ ଦରମା ଓ ଅନ୍ୟାନ୍ୟ ସୁବିଧାରେ ବୃଦ୍ଧି ହେବା ସପକ୍ଷରେ ମତ ବ୍ୟକ୍ତ କରିଛନ୍ତି । ବାଚସ୍ପତିଙ୍କ ନିର୍ଦ୍ଦେଶରେ ବରିଷ୍ଠ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଗଠିତ ପରାମର୍ଶଦାତା କମିଟିର ଚତୁର୍ଥ ବୈଠକ ଶୁକ୍ରବାର ବିଧାନସଭା ପରିସରରେ ଅନୁଷ୍ଠିତ ହୋଇଥିଲା । ଏ ସମ୍ପର୍କରେ ଶ୍ରୀ ଶତପଥୀ ସୂଚନା ଦେଇ କହିଛନ୍ତି ଯେ, ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ସଂକ୍ରାନ୍ତ ଦାବି ଉପରେ କମିଟି ବିଚାରବିମର୍ଶ କରିଛି । ଆସନ୍ତା ଶୀତ ଅଧିବେଶନରେ କମିଟି ତାଙ୍କର ରିପୋର୍ଟ ବାଚସ୍ପତିଙ୍କୁ ପ୍ରଦାନ କରିବେ । ଆଜିର ବୈଠକରେ କମିଟିର ସଦସ୍ୟ ଥିବା ବିଜେପି ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଅନୁପସ୍ଥିତ ଥିବାରୁ କମିଟି ପୁଣିଥରେ ବୈଠକ କରି ଦରମା ଓ ଭତ୍ତା ଆଦିର ଚୂଡ଼ାନ୍ତ କରିବ । ତେବେ ବୈଠକରେ ରାଜ୍ୟର ବିଧାୟକମାନେ ଏବେ ପାଉଥିବା ଦରମା,ଭତ୍ତା ଓ ସୁବିଧାସୁଯୋଗ ସହ ଅନ୍ୟ ରାଜ୍ୟରେ ବିଧାୟକମାନଙ୍କୁ ମିଳୁଥିବା ସୁବିଧାସୁଯୋଗ ଆଦିର ସମୀକ୍ଷା କରାଯାଇଥିଲା ବୋଲି ସେ କହିଛନ୍ତି ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……