ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜୀବ ଗାନ୍ଧି ହତ୍ୟା ମାମଲାରେ ନିକଟରେ ଦୋଷୀମାନଙ୍କୁ ଖଲାସ କରିଦିଆ ଯାଇଛି | ଆଜୀବନ କାରାଦଣ୍ଡ ଭୋଗୁଥିବା ସ୍ବାମୀ ଶ୍ରଦ୍ଧାନନ୍ଦ ଙ୍କୁ ମଧ୍ୟ ସମାନ ବିଚାର କରି ଛଡ଼ାଯାଉ ବୋଲି ସୁପ୍ରିମ୍କୋର୍ଟରେ ଆବେଦନ କରିଛନ୍ତି। ସ୍ୱାମୀ ଶ୍ରଦ୍ଧାନନ୍ଦ ସମ୍ପତ୍ତି ପାଇଁ ସ୍ତ୍ରୀକୁ ହତ୍ୟା କରି ମୃତ୍ୟୁଦଣ୍ଡାଦେଶ ପାଇଥିଲେ। ପରେ ତାଙ୍କର ମୃତ୍ୟୁଦଣ୍ଡକୁ କୋହଳ କରି ଆଜୀବନ କରାଦଣ୍ଡରେ ପରିଣତ କରାଯାଇଥିଲା । ଶ୍ରଦ୍ଧାନନ୍ଦଙ୍କ ଓକିଲ ବରୁଣ ଠାକୁର ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ହିମା କୋହଲି ଓ ଜେବି ପାର୍ଦିୱାଲାଙ୍କ ଖଣ୍ଡପୀଠ ଆଗରେ ଯୁକ୍ତି ଉପସ୍ଥାପନ କରିଥିଲେ ଯେ ତାଙ୍କ ମହକିଲ ମାତ୍ର ଗୋଟିଏ ହତ୍ୟା କରି ଆଜୀବନ ଦଣ୍ଡାଦେଶ ପାଇଛନ୍ତି। ଏପର୍ଯ୍ୟନ୍ତ ୨୯ ବର୍ଷ ସେ ଜେଲରେ କଟାଇ ସାରିଲେଣି। ତା’ ଭିତରେ ସେ ଥରୁଟିଏ ପାରୋଲରେ ବି ବାହାରକୁ ଯାଇ ନାହାନ୍ତି। ଠାକୁର କହିଲେ, ଏବେ ଯେଉଁମାନଙ୍କୁ ଛଡ଼ାଗଲା ସେମାନେ କେବଳ ରାଜୀବ ଗାନ୍ଧିଙ୍କୁ ହତ୍ୟା କରି ନାହାନ୍ତି। ୧୯୯୧ ମସିହାରେ ରାଜୀବଙ୍କ ସହ ୧୬ ଜଣ ଲୋକ ମୃତ୍ୟୁବରଣ କରିବା ସହ ୪୩ ଜଣ ଆହତ ହୋଇଥିଲେ। ସେହି ଦୋଷୀମାନେ ୩୦ ବର୍ଷ ଜେଲରେ କଟାଇବା ଭିତରେ ଅନେକ ଥର ପାରୋଲରେ ଯାଇଛନ୍ତି। ସେମାନଙ୍କୁ ଯଦି ମୁକ୍ତି ଦିଆଗଲା ଏବେ ମୋ ମହକିଲଙ୍କୁ ବି ମୁକ୍ତି ଦିଆଯାଉ। ତା’ ନ ହେଲେ ତାହା ସମାନତା ଅଧିକାରର ଉଲ୍ଲଂଘନ ହେବ ବୋଲି ଠାକୁର ଯୁକ୍ତି ବାଢ଼ିଛନ୍ତି। ଠାକୁର ଆହୁରି କହିଛନ୍ତି, ତାଙ୍କ ଆବେଦନର ଜରୁରି ଶୁଣାଣି କରାଯାଉ କାରଣ ତାଙ୍କ ମହକିଲଙ୍କ ବୟସ ୮୦ରୁ ଅଧିକ। ସେ ୧୯୯୪ରୁ ଜେଲରେ ଅଛନ୍ତି। ସେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି। ସେ ୨୦୧୪ରେ ପାରୋଲ ଓ କ୍ଷମା ପାଇଁ ଆବେଦନ କରିଥିଲେ ମଧ୍ୟ ତାହାର ଶୁଣାଣି ଆଜିଯାଏ ହୋଇନାହିଁ। ତେଣୁ ଆବେଦନର ଜରୁରି ଶୁଣାଣି କରି ଶ୍ରଦ୍ଧାନନ୍ଦଙ୍କୁ ଖଲାସ କରିଦେବାକୁ ଠାକୁର ଅନୁରୋଧ କରିଥିଲେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..