ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାମାଜିକ ଗଣମାଧ୍ୟମ ଟ୍ୱିଟର୍କୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଜନମତରେ ବିଜୟୀ ହେବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ‘ଟୁଇଟର୍’ ଅକାଉଣ୍ଟ୍କୁ ସଚଳ କରାଯାଇଥିବା କଥା ଉକ୍ତ ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମର ନୂତନ ମାଲିକ ଏଲନ୍ ମସ୍କ୍ ଘୋଷଣା କରିଛନ୍ତି। ଉଲ୍ଲେଖ ଯୋଗ୍ୟ- ଗତବର୍ଷ ଜାନୁଆରି ୬ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକା କ୍ୟାପିଟଲ୍ ଆକ୍ରମଣ ଘଟଣାରେ ସମ୍ପୃକ୍ତି ଯୋଗୁଁ ଟ୍ରମ୍ପ୍ଙ୍କ ‘ଟୁଇଟର୍’ ଆକାଉଣ୍ଟ୍ ନିଷିଦ୍ଧ କରାଯାଇଥିଲା। ୨୦୨୦ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ବାତିଲ କରାଇବା ନିମନ୍ତେ ଟ୍ରମ୍ପ୍ଙ୍କ ଉତ୍ତ୍ୟକ୍ତ ସମର୍ଥକମାନେ ‘କ୍ୟାପିଟଲ୍’ ଆକ୍ରମଣ କରିଥିଲେ। ଟ୍ରମ୍ପ୍ଙ୍କ ଅଚଳ ଆକାଉଣ୍ଟ୍କୁ ପୁନଃସଚଳ କରାଯିବା କଥା କି, ନୁହେଁ- ଏଥିପାଇଁ ଏଲନ୍ ମସ୍କ୍ ୨୪ଘଣ୍ଟିଆ ଜନମତ ଲୋଡିଥିଲେ। ଏହି ଜନମତରେ ଟ୍ରମ୍ପ୍ ସ୍ବଳ୍ପ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଜନମତ ଶେଷ ହେବାର ଅଳ୍ପ ସମୟ ପରେ ମସ୍କ୍ ଟୁଇଟ୍ କରି ପୁଣି ଲେଖିଛନ୍ତି, ଜନ ସମର୍ଥନ ମିଳିଛି। ଟ୍ରମ୍ପ୍ଙ୍କୁ ପୁନଃସଂସ୍ଥାପନ କରାଯିବ। ‘ଭୋକ୍ସ୍ ପପୁଲି ଭୋକ୍ସ ଡେଇ’ ଅର୍ଥାତ୍ ଜନତାଙ୍କ ମତ ଈଶ୍ବରଙ୍କ ମତ। ୨୩୭ ନିୟୁତ ଦୈନନ୍ଦିନ ଟୁଇଟର୍ ବ୍ୟବହାରକାରୀଙ୍କ ମଧ୍ୟରୁ ୧୫ ନିୟୁତ ଜନତା ଟ୍ରମ୍ପ୍ ବିବାଦୀୟ ପ୍ରୋଫାଇଲ୍କୁ ପୁନଃସଂସ୍ଥାପନ କରାଯିବା, ନ ଯିବା ଉପରେ ମତ ଦେଇଥିଲେ। ସେଥରୁ ଟ୍ରମ୍ପ୍ଙ୍କ ସପକ୍ଷରେ ୫୧.୫% ମତ ଦେଇଥିବା ବେଳେ ୪୮.୨% ବିପକ୍ଷରେ ମତ ଦେଇଛନ୍ତି। ମତ ଆହ୍ବାନ କରି ମସ୍କ୍ ଲେଖିଥିଲେ: ‘‘ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କୁ ପୁନଃସଂସ୍ଥାପନ କରାଯିବ।’’ ଆପଣମାନେ ‘ହିଁ’ ଅଥବା ‘ନା’ରେ ମତ ଦିଅନ୍ତୁ। ଉଲ୍ଲେଖଯୋଗ୍ୟ, ଟ୍ରମ୍ପ୍ଙ୍କ ଟୁଇଟର୍ ଆକାଉଣ୍ଟ୍ ଅଚଳ କରାଯିବା ସମୟରେ ତାଙ୍କର ୮୮ ନିୟୁତରୁ ଅଧିକ ଅନୁଗାମୀ ଥିଲେ। ପୁନଃସଂସ୍ଥାପିତ ହେବା ପରେ ଟ୍ରମ୍ପ୍ଙ୍କର ବହୁ ରାଜନୈତିକ ମିତ୍ର ଆନନ୍ଦିତ ହୋଇଛନ୍ତି। ହାଉସ୍ ରିପବ୍ଲିକାନ୍ର ପଲ୍ ଗୋସାର୍ ଲେଖିଛନ୍ତି, ସ୍ବାଗତମ ଡୋନାଲ୍ଡ୍ ଟ୍ରମ୍ପ୍।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..