Report Card Odisha

| Daily Odia News

ଭାରତ-ଚୀନ୍‌ ସେନା ମୁହାଁମୁହିଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅରୁଣାଚଳପ୍ରଦେଶ ଏଲ୍‌ଏସି ନିକଟରେ ଭାରତ ଏବଂ ଚୀନ୍‌ ସେନା ମୁହାଁମୁହିଁ ହୋଇଛନ୍ତି। ଡିସେମ୍ବର ୯ ତାରିଖରେ ଅରୁଣାଚଳପ୍ରଦେଶର ତୱାଙ୍ଗ ସେକ୍ଟରରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଆଜି ଏହି ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନାନୁଯାୟୀ ଚୀନ୍‌ ସୈନିକମାନେ ପ୍ରଥମେ ଏଲ୍‌ଏସି ଅତିକ୍ରମ କରିବାପରେ ଭାରତୀୟ ସୈନିକ ଏହାର କଡ଼ା ଜବାବ ଦେଇଥିଲେ। ସଂଘର୍ଷ ଯୋଗୁଁ ଉଭୟ ଭାରତ ଏବଂ ଚୀନ୍‌ର କିଛି ସୈନିକ ଆହତ ହୋଇଛନ୍ତି। ତେବେ ଉଭୟ ଭାରତ ଏବଂ ଚୀନ୍‌ ତୁରନ୍ତ ଏହି ସ୍ଥାନରୁ ସେନା ପ୍ରତ୍ୟାହାର କରିନେଇଥିଲେ। ଏହି ଘଟଣା ପରେ ଭାରତୀୟ କମାଣ୍ଡର ସମ୍ପୃକ୍ତ ଅଞ୍ଚଳରେ ତାଙ୍କ ପ୍ରତିପକ୍ଷଙ୍କ ସହ ଏକ ଫ୍ଲାଗ୍‌ ବୈଠକ କରିଥିଲେ। ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ରକ୍ଷା କରିବାପାଇଁ ଏହି ବୈଠକ ହୋଇଥିଲା। ତାୱଙ୍ଗ ସେକ୍ଟର ସ୍ଥିତ ଏଲ୍‌ଏସି ନିକଟ କିଛି ଅଞ୍ଚଳକୁ ଉଭୟ ଭାରତ ଏବଂ ଚୀନ୍‌ ନିଜର ବୋଲି ଦାବି କରି ସମ୍ପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଛନ୍ତି। ଅତିକମ୍‌ରେ ଭାରତୀୟ ସେନାର ୬ ଜଣ ଯବାନ ଆହତ ହୋଇଛନ୍ତି। ସେପଟେ ଏହି ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜରୁରୀ ବୈଠକ ଡାକିଛନ୍ତି। ବୈଠକରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ସିଡିଏସ୍ ଜେନରାଲ ଅନୀଲ ଚହ୍ୱାନ ଓ ୩ ସେନାର ମୁଖ୍ୟମାନେ ଉପସ୍ଥିତ ରହିବେ। ଅନ୍ୟପଟେ ତଓ୍ୱାଙ୍ଗରେ ଭାରତ-ଚୀନ ସୈନ୍ୟ ପୁଣି ମୁହାଁମୁହିଁ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ। ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସେ କହିଛନ୍ତି।

 

Breaking News