ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭୂମିକମ୍ପର ପ୍ରକୋପରେ ଧ୍ୱଂସ ଵିଧ୍ଵଂସ ହୋଇଯାଇଛି ତୁର୍କୀ ଓ ସିରିଆ। ଗତ ସୋମବାର ହୋଇଥିବା ଏହି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ଏଯାବତ ୧୫ ହଜାର ପାର୍ କରିଗଲାଣି। ଏବେ ବି ଭଗ୍ନାବଶେଷ ତଳେ ବହୁ ଲୋକ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ତୁର୍କୀରେ ଏଯାବତ ୧୨, ୩୯୧ ଜଣଙ୍କ ପ୍ରାଣ ହାନୀ ହୋଇଥିବା ବେଳେ ସିରିଆରେ ମୃତ୍ୟୁ ସଂଖ୍ୟା ୨,୯୯୨ରେ ପହଞ୍ଚିଛି। ୨ ଦେଶରେ ପ୍ରାୟ ୧୧ ହଜାରରୁ ଅଧିକ କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ୧୫ ହଜାରରୁ ଅଧିକ ଲୋକ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ତୁର୍କୀରେ ଏବେ ବି ହଜାର ହଜାର ଲୋକ ନିଖୋଜ ଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଭାରତୀୟ ବି ଅଛନ୍ତି। ତାଙ୍କ ପରିଚୟ ମିଳିପାରିନି।ନିଖୋଜ ହୋଇଥିବା ଭାରତୀୟ ବେଙ୍ଗାଲୁରୁସ୍ଥିତ ଏକ କମ୍ପାନିରେ କାମ କରୁଥିବା ବେଳେ କମ୍ପାନି କାମରେ ତୁର୍କୀ ଯାଇଥିଲେ । ହେଲେ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରୁ ନ ଥିବା ବୈଦେଶୀକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଆଉ ୧୦ ଜଣ ଭାରତୀୟ ମଧ୍ୟ କ୍ଷତିଗ୍ରସ୍ତ ଅଞ୍ଚଳରେ ଫସି ରହିଛନ୍ତି। ସେମାନେ ସୁରକ୍ଷିତ ଥିବା ବେଳେ ସେମାନଙ୍କ ସହ ଯୋଗାଯୋଗ ବଜାୟ ରହିଥିବା ମନ୍ତଣାଳୟ କହିଛି। ଭୂକମ୍ପ ପରେ ନିଜ ଦାଉ ସାଧୁଛି ପ୍ରବଳ ଥଣ୍ଡା । ଭୂମିକମ୍ପ ଯୋଗୁ ବାସହରା ହୋଇପଡିଥିବା ଲୋକେ ରାସ୍ତା ଉପରେ ନିଆଁ ଜଳାଇ ନିଜକୁ ଉଷୁମ ରଖିବାକୁ ଚେଷ୍ଟା କରୁଛନ୍ତି। ସେହିପରି ତୁର୍କୀ ଓ ସିରିଆର ବହୁ ଅଞ୍ଚଳରେ ପ୍ରବଳ ଥଣ୍ଡା ଓ ତୁଷାରପାତ ଯୋଗୁ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। କିଛି ରାସ୍ତାଘାଟ ଭୂମିକମ୍ପ ଲାଗି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆଉ କିଛି ରାସ୍ତାରେ ବରଫ ଜମି ରହିଛି। ଫଳରେ ଟ୍ରାଫିକ ଜାମ ଭଳି ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। ତୁର୍କୀର ଏ ମହାବିପତ୍ତି ବେଳେ ସହାୟତାର ହାତ ବଢ଼ାଇଛି ଭାରତ। ତୁର୍କୀକୁ ୨ଟି ବିମାନରେ ୧୦୦ ଏନଡିଆରଏଫ୍ ଯବାନ, ସ୍ୱତନ୍ତ୍ର ପ୍ରଶିକ୍ଷିତ ଡଗ୍ ସ୍କ୍ୱାଡ୍, ଡ୍ରିଲିଂ ମେସିନ, ରିଲିଫ ସାମଗ୍ରୀ, ଔଷଧ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପଠାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଏଥିରେ ବାଧକ ସାଜୁଛି ଖରାପ ପାଗ । ଭାରତୀୟ ସେନା ଓ ଏନଡିଆରଏଫ ଟିମ୍ ତୁର୍କୀ ଓ ସିରିୟାରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି। ଭାରତୀୟ ସେନା ଭୂକମ୍ପ ପ୍ରପୀଡ଼ିତ ଅଞ୍ଚଳରେ ଫିଲ୍ଡ ହସ୍ପିଟାଲ ପ୍ରସ୍ତୁତ କରୁଥିବା ବେଳେ ସେଠାରେ ଆହତଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଆମେରିକା, ଚୀନ୍, ଜର୍ମାନ, ଜାପାନ, ନେଦରଲ୍ୟାଣ୍ଡ ପରି ଦେଶ ବି ତୁର୍କୀ ଓ ସିରିଆଙ୍କୁ ଏହି ବିପଦ ସମୟରେ ସାହାଯ୍ୟର ହାତ ବଢ଼ାଇଛନ୍ତି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..