Report Card Odisha

| Daily Odia News

ହଳଦିଆ ନମ୍ବର ପ୍ଲେଟ୍ ଥିବା ଗାଡ଼ି ଅଟକାଇବୁ,ସହଯୋଗ କରିବନି ଅଟୋ ମହାସଂଘ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତାକାଲିଠାରୁ ୧୦ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରାଯିବାକୁ ପ୍ରସ୍ତୁତ ହୋଇଛି | ଏହା କୁନେଇ ସୃଷ୍ଟି ହୋଇଛି ବିବାଦୀୟ ସ୍ଥିତି। ଘରୋଇ ବସ୍‌ ମାଲିକ ସଂଘ ଯାତ୍ରୀବାହୀ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଓଡ଼ିଶା ଡ୍ରାଇଭର ଏକତା ମହମଞ୍ଚ ବସ୍ ସମେତ ପରିବହନ ସହିତ ଜଡ଼ିତ କୌଣସି ହଳଦିଆ ନମ୍ବର ବିଶିଷ୍ଟ ଗାଡ଼ିକୁ ଛଡ଼ାଯିବନି ବୋଲି କହିଛି। ଖୋର୍ଦ୍ଧା ଜିଲ୍ଲା ଡ୍ରାଇଭର ସଂଘ ସଭାପତି ରାଜେଶ ଦାଶ କହିଛନ୍ତି, ଯେଉଁ ଗାଡ଼ିଗୁଡ଼ିକରେ ହଳଦିଆ ନମ୍ବର ପ୍ଲେଟ୍ ଲାଗିଛି ବା ଯେଉଁ ଗାଡ଼ିଗୁଡ଼ିକ ପରିବହନ କ୍ଷେତ୍ରରେ ନିୟୋଜିତ ହୋଇଛନ୍ତି, ସେଗୁଡ଼ିକୁ ଆମେ ଅଟକାଇବୁ। ଉଦାହରଣ ସ୍ୱରୂପ- ଟ୍ରକ୍‌, ବସ୍‌, ଟ୍ୟାକ୍ସି ଓ ଟ୍ରାଭେଲ୍‌ସ ଗାଡ଼ି ଆଦିକୁ ଆମେ ଅଟକାଇବୁ। ଯାତ୍ରୀବାହୀ ବସ୍‌ ଗୁଡ଼ିକୁ ମଧ୍ୟ ଛଡ଼ାଯିବନି ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି। ତେବେ ପ୍ରାଇଭେଟ୍ ନମ୍ବର ଥିବା ଗାଡ଼ି ଗୁଡ଼ିକୁ ଅଟକାଯିବ ନାହିଁ ବୋଲି ସେ କହିଛନ୍ତି। ଘରୋଇ ବସ୍ ମାଲିକ ସଂଘ ସହଯୋଗ କରିବ ନାହିଁ ବୋଲି କହିଥିବା ବେଳେ ଶ୍ରୀ ଦାଶ କହିଛନ୍ତି, ଡ୍ରାଇଭର ବସ୍ ନଚଲାଇ ଯଦି ମାଲିକମାନେ ଚଲାଇବେ, ତା’ହେଲେ ଆମେ କିଛି ଆପତ୍ତି ନାହିଁ। ମାଲିକମାନେ କ’ଣ ଗାଡ଼ି ଚଲାଇ ପାରିବେ | ଶ୍ରୀ ଦାସ କହିଛନ୍ତି, ସେମାନଙ୍କର ୧୦ ଦଫା ଦାବି ରହିଛି। ସେଗୁଡ଼ିକ ମଧ୍ୟରେ ରହିଛି ଡ୍ରାଇଭରମାନଙ୍କ ପାଇଁ ବୀମା ଓ ପେନ୍‌ସନ୍ ସୁବିଧା କରିବା ସହିତ ରାସ୍ତାକଡ଼ରେ ଶୌଚାଳୟ ଓ ବିଶ୍ରାମାଗାର ନିର୍ମାଣ କରିବା। ସେହିଭଳି ଡ୍ରାଇଭରମାନଙ୍କ ପାଇଁ ଏକ ପାଣ୍ଠି ତିଆରି କରିବାକୁ ମଧ୍ୟ ଦାବି କରାଯାଇଛି। ଗତକାଲି ସରକାର ଆମକୁ ଆଲୋଚନା ପାଇଁ ଡାକିଥିଲେ। ଆମ ଦାବି ପୂରଣ ନେଇ ସବୁ ପ୍ରସ୍ତୁତି ସରିଛି ବୋଲି କହିଥିଲେ। ତେବେ ବିଧାନସଭା ଚାଲିଥିବାରୁ ଏବେ ଘୋଷଣା କରିପାରିବେନି ବୋଲି କହିଥିଲେ ଓ ସମୟ ମାଗିଥିଲେ। କିନ୍ତୁ ଆମେ ଆମ ଜିଦ୍‌ରେ ଅଟଳ ରହିଛୁ। ଆସନ୍ତାକାଲିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରହିବ। ଏଥିପାଇଁ ଆମର ପ୍ରସ୍ତୁତି ଶେଷ ହୋଇଛି। ସବୁ ବ୍ଳକ୍ ଓ ଜିଲ୍ଲା ସଦର ମହକୁମାରେ ଆନ୍ଦୋଳନ କରାଯିବ। ସବୁ ପଞ୍ଚାୟତର ମୁଖ୍ୟ ରାସ୍ତାଗୁଡ଼ିକରେ ମଧ୍ୟ ଆନ୍ଦୋଳନ କରଯିବ। ଅନ୍ୟପକ୍ଷରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଆମେ ବସ୍ ଚଲାଇବା ନେଇ ସରକାରଙ୍କୁ ଲିଖିତ ଭାବେ ଜଣାଇସାରିଛୁ। ଆମ ପାଖରେ ଯେଉଁ କର୍ମଚାରୀ ଅଛନ୍ତି, ସେମାନେ ଡ୍ରାଇଭର ସଂଘରେ ସାମିଲ ନାହାନ୍ତି। ସେମାନେ (ଡ୍ରାଇଭର ସଂଘ) ଯେଉଁ ଦାବି କରୁଛନ୍ତି, ତା’ଠାରୁ ଅଧିକ ସୁବିଧା ଆମେ ଆମ କର୍ମଚାରୀମାନଙ୍କୁ ଦେଉଛୁ। ଡ୍ରାଇଭର ସଂଘ ପୂର୍ବରୁ କରିଥିବା ଧର୍ମଘଟରେ ବସ୍‌କୁ ସାମିଲ କରି ନଥିଲେ। କିନ୍ତୁ ଏଥର ଯାତ୍ରୀବାହୀ ବସ୍‌ ଗୁଡ଼ିକ ଚାଲିପାରିବନି ବୋଲି କହିଛନ୍ତି। ଏହି ବନ୍ଦରୁ ନିବୃତ୍ତ ରହିବାକୁ ମୁଁ ଡ୍ରାଇଭର ସଂଘକୁ ଅନୁରୋଧ କରୁଛି। ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ପ୍ରତ୍ୟାହାର କରି ସରକାରଙ୍କ ସହିତ ଆଲୋଚନା କରନ୍ତୁ। ସରକାରଙ୍କ ନିକଟରେ ଅନଶନ କରନ୍ତୁ ଓ ଧାରଣା ଦିଅନ୍ତୁ। ଆମର ସେଥିରେ କିଛି ସମସ୍ୟା ନାହିଁ। କିନ୍ତୁ ଯାତ୍ରୀବାହୀ ପରିବହନ ବ୍ୟବସ୍ଥାକୁ ଅସୁବିଧାରେ ନପକାନ୍ତୁ। ସେପଟେ ଡ୍ରାଇଭର ସଂଘର ବନ୍ଦ ଡାକରାକୁ ବିରୋଧ କରିଛି ନିଖିଳ ଓଡ଼ିଶା ଅଟୋ ମହାସଂଘ। ଆନ୍ଦୋଳନରୁ ଡ୍ରାଇଭର ଆସୋସିଏସନ ଓହରିବାକୁ ସଂଘ କହିଥିବା ବେଳେ ଆସନ୍ତାକାଲି ଆନ୍ଦୋଳନରେ ସହଯୋଗ କରିବେ ନାହିଁ ବୋଲି ସଂଘ କହିଛି। ଏନେଇ ନିଖିଳ ଓଡ଼ିଶା ଅଟୋ ମହାସଂଘର ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲ ସୂଚନା ଦେଇଛନ୍ତି।

Breaking News