ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସମଲିଙ୍ଗୀ ବିବାହର ବୈଧୀକରଣ ନେଇ ଆଗତ ପିଟିସନ ବିରୋଧରେ ଜାମିଆତ ଉଲାମା-ଇ-ହିନ୍ଦ୍ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇ ନିଜର ଯୁକ୍ତି ଉପସ୍ଥାପନ କରିଛି। ଏ ପ୍ରକାର ବିବାହ କୋରାନ-ବିରୋଧୀ, ଧର୍ମବିରୋଧୀ ଓ ସମାଜବିରୋଧୀ ବୋଲି ମତ ପ୍ରକାଶ କରି ଜାମିଆତ ଏ ବାବଦରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରିଛି। ତେଣୁ ଏ ପ୍ରକାର ସମାଜବିରୋଧୀ ପାଶ୍ଚାତ୍ୟ ପରମ୍ପରାକୁ ଆଇନଗତ ଅନୁମୋଦନ ପ୍ରଦାନ ନ କରିବାକୁ ଜାମିଆତ ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରିଛି। ସୁପ୍ରିମ୍କୋର୍ଟ ମାର୍ଚ୍ଚ ୧୩ ତାରିଖରେ କହିଥିଲେ ଯେ, ସମଲିଙ୍ଗୀ ବିବାହର ବୈଧୀକରଣ ପାଇଁ କରାଯାଇଥିବା ଆବେଦନ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଏବଂ ଏହାର ସାମ୍ବିଧାନିକ ବୈଧତା ଯାଞ୍ଚ ପାଇଁ ଏକ ପାଞ୍ଚଜଣିଆ ସମ୍ବିଧାନ ପୀଠରେ ଶୁଣାଣି ହେବ। ଜାମିଆତ ନିଜ ଓକିଲ ଏମ୍ଆର୍ ଶମଶଦଙ୍କ ମାଧ୍ୟମରେ ଦର୍ଶାଇଛି, ଇସଲାମ ଧର୍ମ ସୃଷ୍ଟି ହେବା ଦିନଠାରୁ ଏହି ଧର୍ମରେ ସମଲିଙ୍ଗୀ ବିବାହ ନିଷିଦ୍ଧ। ଇସଲାମର ମୂଳ ଧର୍ମଗ୍ରନ୍ଥ ପବିତ୍ର କୋରାନଠାରୁ ଆରମ୍ଭ କରି ରସୁଲ ମହମ୍ମଦଙ୍କ ଶିକ୍ଷାସମ୍ବଳିତ ଗ୍ରନ୍ଥ ହଦିସଗୁଡ଼ିକରେ ସମଲିଙ୍ଗୀ ସମ୍ପର୍କକୁ ବାରଣ କରାଯାଇଛି। ଲିଙ୍ଗ ଅନୁଯାୟୀ ଜଣକର କର୍ତ୍ତବ୍ୟ, ବ୍ୟବହାର, ପୋଷାକପରିଚ୍ଛଦ ଭିନ୍ନ ହୋଇଥାଏ। ଏପରିକି ଯେଉଁ ପୁରୁଷମାନେ ମହିଳାଙ୍କ ପରି ପୋଷାକ ପିନ୍ଧି ସେମାନଙ୍କ ପରି ହେବାକୁ ଏବଂ ଯେଉଁ ନାରୀମାନେ ପୁରୁଷଙ୍କ ପରି ପୋଷାକ ପିନ୍ଧି ସେମାନଙ୍କ ପରି ହେବାକୁ ଚେଷ୍ଟା କରନ୍ତି, ସେମାନଙ୍କୁ ମହମ୍ମଦ ଭର୍ତ୍ସନା କରିଛନ୍ତି। ଜାମିଆତ କହିଛି, ଏଲ୍ଜିବିଟିକ୍ୟୁଆଇଏ+ ଆନ୍ଦୋଳନ ପ୍ରଥମେ ଏଲ୍ଜିବିଟିରୁ ଆରମ୍ଭ ହେଲା, ତା’ପରେ ସେଥିରେ କ୍ୟୁ ଯୋଡ଼ିହୋଇ ହେଲା ଏଲ୍ଜିବିଟିକ୍ୟୁ। ତା’ପରେ ହେଲା ଏଲ୍ଜିବିଟିକ୍ୟୁ+ ଏବଂ ଶେଷରେ ଏଲ୍ଜିବିଟିକ୍ୟୁଆଇଏ+ ହୋଇଛି। ଏ ପ୍ରକାର ଆନ୍ଦୋଳନର ପୃଷ୍ଠଭୂମି ଦିନକୁ ଦିନ ସମ୍ପ୍ରସାରିତ ହେବାରେ ଲାଗିଛି ଏବଂ ଏମାନେ କୌଣସି ଧାର୍ମିକ ମୂଲ୍ୟବୋଧକୁ ସ୍ବୀକାର କରନ୍ତି ନାହିଁ। ପାଶ୍ଚାତ୍ୟ ଦେଶରେ ମୁକ୍ତ ଓ ଅବାଧ ଯୌନ ଆଚରଣରୁ ଏସବୁର ସୃଷ୍ଟି। ଏ ପ୍ରକାର ଯୌନ ସ୍ବେଚ୍ଛାଚାରିତା ସୁସ୍ଥ ସମାଜ ଗଠନରେ ମୁଖ୍ୟ ପ୍ରତିବନ୍ଧକ। ଯୌନ ସ୍ବେଚ୍ଛାଚାରୀମାନେ କୌଣସି ଧର୍ମ ବା ଈଶ୍ବର ମାନନ୍ତି ନାହିଁ। ଧର୍ମ ଦ୍ବାରା ପରିଚାଳିତ କୌଣସି ସମାଜରେ ଏହା ଗ୍ରହଣୀୟ ନୁହେଁ। ସେଥିପାଇଁ ମୁସଲିମ ପର୍ସନାଲ ଲ’ରେ ସମଲିଙ୍ଗୀ ବିବାହର କୌଣସି ସ୍ଥାନ ନାହିଁ। ଜାମିଆତର କହିବା ଅନୁସାରେ ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟର ପର୍ସନାଲ ଲ’କୁ ସାମ୍ବିଧାନିକ ସୁରକ୍ଷା ମିଳିଛି। ସମଲିଙ୍ଗୀ ବିବାହର ବୈଧୀକରଣ ପାଇଁ ଯେଉଁ ଆବେଦନ କରାଯାଇଛି ତାହା ବିବାହ ସମ୍ପର୍କରେ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟରେ ଯେଉଁ ବୋଧ ବା ଅବଧାରଣା ରହିଛି, ତାହାର ବିରୋଧାଚରଣ କରୁଛି। ବିବାହ କହିଲେ ଜଣେ ଜୈବିକ ପୁରୁଷ ଓ ଜଣେ ଜୈବିକ ନାରୀଙ୍କ ମିଳନକୁ ବୁଝାଏ ଏବଂ ଏପରି ବିବାହରୁ ସନ୍ତାନସନ୍ତତି ଜନ୍ମ ହୁଅନ୍ତି ଓ ପରିବାର ଗଠନ ହୁଏ, ଯାହା ସମଲିଙ୍ଗୀ ବିବାହରେ ସମ୍ଭବ ନୁହେଁ ବୋଲି ଜାମିଆତ କହିଛି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..