ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବିଜୟାନନ୍ଦ ପଟ୍ଟନାୟକ (ବିଜୁବାବୁ)ଙ୍କର ୨୬ ତମ ଶ୍ରାଦ୍ଧ ଦିବସ। ୧୯୯୭ ଏପ୍ରିଲ ୧୭ରେ ଦିଲ୍ଲୀରେ ତାଙ୍କର ପରଲୋକ ହୋଇଥିଲା। ସ୍ବାଭିମାନୀ, ସାହସୀ, ଯୁଗ ସ୍ରଷ୍ଟା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୧୬ ମାର୍ଚ୍ଚ ୫ରେ ଜନ୍ମଗ୍ରହଣ କରିଥିଲେ। ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଓ ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଧାର କରିଥିଲେ। ଏହି ଦୁଃସାହସିକ କାର୍ଯ୍ୟପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ “ଭୂମିପୁତ୍ର” ସମ୍ମାନରେ ସମ୍ମାନିତ କରାଯାଇଥିଲା। ଦେଶ ସ୍ବାଧୀନ ହେବା ପରେ ସେ ଓଡ଼ିଶାକୁ ବିଭବଶାଳୀ ରାଜ୍ୟ ଭାବେ ପରିଣତ କରିବାର ସ୍ବପ୍ନ ଦେଖିଥିଲେ। ୧୯୫୨ରେ ସେ ଜଗନ୍ନାଥ ପ୍ରସାଦ ଆସନରୁ ପ୍ରଥମଥର ପାଇଁ ବିଧାୟକ ନିର୍ବାଚିତ ହେଲେ। ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବା ବିଜୁବାବୁ ରାଜ୍ୟର ପ୍ରଗତି ପାଇଁ ଅନେକ ଉନ୍ନତିମୂଳକ ପଦକ୍ଷେପ ନେଇଥିଲେ। ସେ ଓଡ଼ିଶା ଟେକ୍ସଟାଇଲ୍ ମିଲ୍, କଳିଙ୍ଗ ଟ୍ୟୁବସ, କଳିଙ୍ଗ ଇଣ୍ଡଷ୍ଟ୍ରିଜ୍, କଳିଙ୍ଗ ଏୟାରୱେଜ୍ ଓ କଳିଙ୍ଗ ରେଫ୍ରିଜରେସନ୍ ଆଦି ନିଜ ଉଦ୍ୟମରେ ପ୍ରତିଷ୍ଠା କରିଥିଲେ। ସେ ଥିଲେ ଆଧୁନିକ ଓଡ଼ିଶାର ନିର୍ମାତା। ଓଡ଼ିଶା ସରକାର ଅନେକ ଅନୁଷ୍ଠାନକୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିଅଛନ୍ତି। ଭୁବନେଶ୍ୱରରେ ଥିବା ବିଜୁ ପଟ୍ଟନାୟକ ବିମାନ ବନ୍ଦର ସେଥିମଧ୍ୟରୁ ଅନ୍ୟତମ। ତାଙ୍କ ଜନ୍ମ ଦିନ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତି ରାଜ ଦିବସ ଭାବରେ ପାଳନ କରାଯାଉଛି।






More Stories
ସଞ୍ଜୟ ବିଶ୍ୱାଳ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ……
କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ…..
ମା’ଙ୍କୁ ମାରି ପ୍ଲାଷ୍ଟର କରିଦେଲା ପୁଅ !…..