Report Card Odisha

| Daily Odia News

ଚୀନ୍‌କୁ ଟପିଲା ଭାରତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜନସଂଖ୍ୟା ବୃଦ୍ଧିରେ ଚୀନ୍‌କୁ ଟପିଗଲା ଭାରତ | ଏବେ ଭାରତ ବିଶ୍ବର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଯାଇଛି । ଲୋକସଂଖ୍ୟା ତୁଳନାରେ ପଡୋଶୀ ଦେଶ ଚୀନକୁ ଟପିଯାଇଛି ଭାରତ । ଚାଇନା ତୁଳନାରେ ଭାରତରେ ୩୦ ଲକ୍ଷ ଅଧିକ ଲୋକ ରହିଛନ୍ତି । ଏ ନେଇ ବୁଧବାର ମିଳିତ ଜାତିସଂଘ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା କୋଷ (UNFPA) ପକ୍ଷରୁ ଜାରି ‘ବିଶ୍ବ ଜନସଂଖ୍ୟା ରିପୋର୍ଟ ୨୦୨୩’ ଅନୁଯାୟୀ ଏବେ ଭାରତର ମୋଟ ଜନସଂଖ୍ୟା ୧୪୨ କୋଟି ୮୬ ଲକ୍ଷ ଥିବା ବେଳେ ଚୀନରେ ୧୪୨ କୋଟି ୫୭ ଲକ୍ଷ ଜନତା ବସବାସ କରୁଛନ୍ତି । ୧୯୫୦ ମସିହାରୁ କ୍ରମାଗତ ଭାବେ ବିଭିନ୍ନ ଦେଶର ଜନସଂଖ୍ୟା ତଥ୍ୟ ରଖିଆସୁଛି ସଂଯୁକ୍ତ ରାଷ୍ଟ୍ର । ସେବେଠାରୁ ଏବେ ଯାଏଁ ପ୍ରଥମ ଥର ପାଇଁ ଭାରତର ଜନସଂଖ୍ୟା ଚୀନକୁ ଅତିକ୍ରମ କରିଛି । ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା କୋଷର ଗଣମାଧ୍ୟମ ପରାମର୍ଶଦାତା ଅନ୍ନା ଜେଫରିଜ୍‌ କହିଛନ୍ତି, ‘ଜନସଂଖ୍ୟାରେ ଭାରତ କେବେ ଚୀନକୁ ଟପିଲା ତାହାର ସ୍ପଷ୍ଟ ସୂଚନା ନାହିଁ । କିନ୍ତୁ ଭାରତ ଏବେ ଚୀନ ଠାରୁ ଜନବହୁଳ ରାଷ୍ଟ୍ର ହୋଇଯାଇଛି । ଦୁଇ ଦେଶରେ ଜନଗଣନା ପ୍ରକ୍ରିୟା ଭିନ୍ନ ହୋଇଥିବାରୁ ସ୍ପଷ୍ଟ ତଥ୍ୟ ରଖିବା କଠିନ ବ୍ୟାପାର’। ଚୀନର ଜନସଂଖ୍ୟା ବୃଦ୍ଧି ହାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଅନ୍ୟପଟେ ଭାରତର ଜନସଂଖ୍ୟା ବର୍ତ୍ତମାନ ବଢିଚାଲିଛି । ଅବଶ୍ୟ ୧୯୮୦ ପରେ ଭାରତର ଜନସଂଖ୍ୟା ବୃଦ୍ଧି ହାରରେ ହ୍ରାସ ପରିଲକ୍ଷିତ ହେଉଛି । ରିପୋର୍ଟ ଅନୁଯାୟୀ ଭାରତର ୨୫ ପ୍ରତିଶତ ଜନସଂଖ୍ୟା ୦-୧୪ ବର୍ଷ ମଧ୍ୟରେ ରହିଛି । ସେହିଭଳି ୨୬% ଜନତା ୧୦-୨୪ ବର୍ଷ ବୟସ ମଧ୍ୟରେ ରହିଥିବା ବେଳେ ୬୮% ଜନତାଙ୍କ ବୟସ ୧୫-୬୪ ବର୍ଷ ରହିଛି । ୬୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ସଂଖ୍ୟା ୭% ରହିଛି । ୨୦୧୧ ଜନଗଣନା ଅନୁଯାୟୀ ଭାରତର ବାର୍ଷିକ ଜନସଂଖ୍ୟା ବୃଦ୍ଧି ହାର ୧.୨% ଥିଲା । ଯାହା କି ୧୦ ବର୍ଷ ପୂର୍ବରୁ ଅର୍ଥାତ୍‌ ୨୦୦୧ ମସିହାରେ ୧.୭% ଥିଲା । ୨୦୧୫ରେ ଭାରତର ମୋଟ ଜନସଂଖ୍ୟା ୧୨୮ କୋଟି ଥିବା ବେଳେ ଚୀନର ୧୩୭ କୋଟି ଥିଲା । ସେହିଭଳି ୨୦୦୮ରେ ଭାରତର ଜନସଂଖ୍ୟା ୧୧୪ କୋଟି ଥିବା ବେଳେ ଚୀନ ଜନସଂଖ୍ୟା ଥିଲା ୧୩୦ କୋଟି । ତେବେ ଜନସଂଖ୍ୟା ବୃଦ୍ଧି ଅନୁପାତକୁ ଦୃଷ୍ଟିରେ ରଖିଲେ ଭବିଷ୍ୟତରେ ଚୀନକୁ ଢେର୍‌ ପଛରେ ପକାଇବ ଭାରତ । ୨୦୪୦ ବର୍ଷକୁ ଆନୁମାନିକ ଭାବେ ନେଲେ ଭାରତର ମୋଟ ଜନସଂଖ୍ୟା ୧୫୨ କୋଟି ଟପିଯାଇଥିବ । ସେହି ତୁଳନାରେ ଚାଇନାର ଜନସଂଖ୍ୟା ୧୪୫ କୋଟି ଥିବ ।

Breaking News