ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ତଥା ‘ୱାରିସ ପଂଜାବ ଦେ’ ସଂଗଠନର ମୁଖିଆ ଅମୃତପାଲ ସିଂହକୁ ରବିବାର ଦିନ ପୋଲିସ ଗିରଫ କରିଛି। ମୋଗା ଗ୍ରାମ ସ୍ଥିତ ଗୁରୁଦ୍ବାରାରେ ପଳାତକ ଅମୃତପାଲ ଥିବାନେଇ ଖବର ମିଳିବା ମାତ୍ରେ ପୋଲିସ ସମଗ୍ର ଗ୍ରାମକୁ ଘେରିଯାଇଥିଲା। ଗୁରୁଦ୍ବାରରେ ପ୍ରବଚନ ଦେଉଥିବା ଅମୃତପାଲ ଖସିବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ ଗିରଫ କରିଛି। ପଞ୍ଜାବ ପୋଲିସକୁ ଦୀର୍ଘ ୩୭ ଦିନ ଧରି ଚକ୍ମା ଦେଇଚାଲିଥିବା ଏହି ଉଗ୍ରବାଦୀ ମୋଗାସ୍ଥିତ ଗୁରୁଦ୍ୱାରରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଛି। ସୁରକ୍ଷା ଦୃଷ୍ଟିରୁ ତା’କୁ ଆସାମ ଦିବ୍ରୁଗଡସ୍ଥିତ କେନ୍ଦ୍ରୀୟ ଜେଲକୁ ସ୍ଥାନାନ୍ତର କରାଯାଇଛି। ଉଲ୍ଲେଖ ଯୋଗ୍ୟ-ମାର୍ଚ୍ଚ ୧୮ରେ ଅମୃତପାଲ ସିଂ ଏବଂ ତା’ ସଂଗଠନ ‘ୱାରିସ୍ ପଞ୍ଜାବ ଦେ’ର ସଦସ୍ୟଙ୍କ ବିରୋଧରେ ପଞ୍ଜାବ ପୋଲିସ ବଡ଼ ଧରଣର ଚଢ଼ଉ ଆରମ୍ଭ କରିଥିଲା। ଜଣେ ସହଯୋଗୀକୁ ଖଲାସ କରିବା ଦାବିରେ ଗତ ଫେବ୍ରୁଆରିରେ ଅମୃତପାଲ ଓ ତା’ ସମର୍ଥକମାନେ ଅଜନାଲା ଥାନା ଉପରେ ଆକ୍ରମଣ କରିବା ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଏହା ପୂର୍ବରୁ ଅମୃତପାଲ ଦୁଇଥର ପୋଲିସକୁ ଚକମା ଦେଇ ଖସିଯିବାରେ ସଫଳ ହୋଇଥିଲା। ଅମୃତପାଲ ସିଂହର ପରାମର୍ଶଦାତା ଭାବରେ ପରିଚିତ ପପଲପ୍ରୀତକୁ ମଧ୍ୟ ପାକିସ୍ତାନର ଆଇଏସ୍ଆଇ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଗିରଫ କରାଯାଇଛି। ବିଚ୍ଛିନ୍ନତାବାଦୀ ଓ ତା’ ସହଯୋଗୀମାନଙ୍କ ବିରୋଧରେ ପୋଲିସ କର୍ମଚାରୀଙ୍କୁ ହତ୍ୟା ଓ ଆକ୍ରମଣ ଉଦ୍ୟମ ସମେତ ଅନେକ ଅଭିଯୋଗ ରହିଛି।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..