Report Card Odisha

| Daily Odia News

ସରକାରରେ ଯାହା ହେଉଛି ମନ୍ତ୍ରୀମାନେ ଜାଣିପାରୁ ନାହାନ୍ତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କିଛି ଦିନର ବ୍ୟବଧାନ ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ | ‘ଜାନକୀ ବାବୁ ଓ ବସନ୍ତବାବୁ ଯୋଡ଼ି- ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୋଗ’ ଆଲୋଚନାଚକ୍ରରେ ଭାଗ ନେଇ ସରକାରଙ୍କ ଉଦେଶ୍ୟରେ କହିଛନ୍ତି | ସେ କହିଛନ୍ତି କି ମନ୍ତ୍ରୀମାନେ ସରକାରୀ ନିଷ୍ପତ୍ତି ଘୋଷଣା କରୁନାହାନ୍ତି। ସରକାରରେ ଯାହା କିଛି ହେଉଛି ମନ୍ତ୍ରୀମାନେ ଜାଣିପାରୁ ନାହାନ୍ତି। ତାହାହେଲେ ସେହି ମନ୍ତ୍ରୀମାନେ ମନ୍ତ୍ରିମଣ୍ଡଳରେ କିପରି ଅଛନ୍ତି | ‘ଜାନକୀ ବାବୁ ଓ ବସନ୍ତବାବୁ ଯୋଡ଼ି- ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୋଗ’ ଆଲୋଚନାଚକ୍ରରେ ଭାଗ ନେଇ ଏପରି କହିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଲୋଚନାରେ ଭାଗ ନେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜନୀତି ବିଜ୍ଞାନରେ ପଢ଼ିଥିଲୁ, ଅମଲାତନ୍ତ୍ର ମନ୍ତ୍ରୀଙ୍କ ବାହୁଛାୟା ତଳେ ରହି ରାଜନୈତିକ ଉତ୍ତର ଦାୟିତ୍ୱ କାର୍ଯ୍ୟକ୍ରମ କରିବା କଥା। ହେଲେ ସଚିବ ଯାହା କଲେ ମଧ୍ୟ ମନ୍ତ୍ରୀଙ୍କ ଆଢ଼ୁଆଳରେ ରହି କରିବେ, ସେ ସମୟ ଆଉ ନାହିଁ। ଆଜି ଖବର କାଗଜର କୌଣସି ପେଜ୍‌ରେ ଜଣେ ହେଲେ ମନ୍ତ୍ରୀଙ୍କ ଫଟୋ ପାଇବେ ନାହିଁ। ଯଦି କୌଣସି ପେଜରେ ଜଣେ ମନ୍ତ୍ରୀଙ୍କ ଫଟୋ ବାହାର କରିଦେବେ, ତାହାହେଲେ ମୁଁ ହଜାରେ ଟଙ୍କା ଦେବି। ବର୍ତ୍ତମାନ ମନ୍ତ୍ରୀମାନେ ଦୃଶ୍ୟମାନ ହେଉନାହାନ୍ତି। ମନ୍ତ୍ରୀମାନେ ସରକାରୀ ନିଷ୍ପତ୍ତି ଘୋଷଣା କରୁନାହାନ୍ତି। ସରକାରରେ ଯାହା କିଛି ହେଉଛି ମନ୍ତ୍ରୀମାନେ ଜାଣିପାରୁ ନାହାନ୍ତି। ରାଜନୀତି ଅଧୋଗତି ଏମିତି ହେଲାଣି ଯେ, ସେହି ମନ୍ତ୍ରୀମାନେ ଅଛନ୍ତି କିପରି | ବିଜେଡି ବ୍ୟବସ୍ଥା ଭିତରେ ଏପରି ଦେଖି ମୁଁ ଜଣେ ଦୁଇ ଜଣ କଂଗ୍ରେସରୁ ଆସିଥିବା ମନ୍ତ୍ରୀଙ୍କୁ ପଚାରିଥିଲି। ସେମାନେ କହିଥିଲେ, ଆପଣ ଆଜ୍ଞା ଜାଣିନାହାନ୍ତି, ଏଇଟା ଗୋଟିଏ ବଢ଼ିଆ ସିଷ୍ଟମ। ଜାନକୀ ବାବୁ ଥିବା ବେଳେ ଜଣେ ବିଧାୟକ ରାତିରେ ଜିଦ୍‌ କଲେ, ତା’ପର ଦିନ ଆଇଏଏସ୍‌ ଅଫିସରଙ୍କ ବଦଳି ହୋଇଯାଉଥିଲା। ଏଠି ସେଟା ହୋଇପାରିବ ନାହିଁ। ବିଧାୟକମାନେ କିଛି କରିପାରିବେ ନାହିଁ।ଜାନକୀ ବାବୁ ଓ ବସନ୍ତବାବୁ ଯୋଡ଼ିକୁ ମନେ ପକାଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ଜାନକୀ ବାବୁ ଓ ବସନ୍ତବାବୁ କଂଗ୍ରେସର କ୍ଷମତାସୀନ ନେତା ହେବା ପୂର୍ବରୁ ତାଙ୍କର ଯୋଡ଼ି ବହୁତ ମଜବୁତ୍‌ ଥିଲା। ପୁରୁଣା ଦିନକୁ ମନେ ପକାଇ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ସ୍ୱାଧୀନତାର ଠିକ୍‌ ପରେ ଜାନକୀବାବୁ ଶିକ୍ଷାଲାଭ କରି ଚାକିରି ନକରି ପ୍ରଜାତନ୍ତ୍ରରେ ସାମ୍ୱାଦିକ ଜୀବନ ଆରମ୍ଭ କରିଥିଲେ। ସମ୍ପାଦକ ହୋଇଥିଲେ। ପରବର୍ତ୍ତୀ ସମୟରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ସହିତ ମତଭେଦ ଯୋଗୁ ଛାଡ଼ି ଦେଇଥିଲେ। ଆଉ ନିଜ ଉଦ୍ୟମରେ ୧୯୬୭ ମସିହାରେ ପୌରୁଷ ପତ୍ରିକା ଆରମ୍ଭ କରିଥିଲେ। ଆହୁରି କହିଛନ୍ତି, ୧୯୮୦ ମସିହାଠାରୁ ଆଜି ଯାଏ ରାଜନୈତିକ ସ୍ଥିରତା ରହିଛି। ପ୍ରାୟ ପାଖାପାଖି ୪୩ ବର୍ଷ ଧରି ଓଡ଼ିଶାରେ ସ୍ଥିର ସରକାର ରହିଛି। ବର୍ତ୍ତମାନ କିନ୍ତୁ ରାଜନୀତିର ପରିଭାଷା ବଦଳି ଯାଇଛି। ସିଏ ନରେନ୍ଦ୍ର ମୋଦି ହୁଅନ୍ତୁ ବା ମମତା ବାନାର୍ଜୀ ହୁଅନ୍ତୁ ବା ନବୀନ ପଟ୍ଟନାୟକ ହୁଅନ୍ତୁ, ଏମାନେ ଭିନ୍ନ ଏକ ରାଜନୀତି କରୁଛନ୍ତି। ସେ ରାଜନୀତି ହେଲା କୌଣସି ଉପାୟରେ ନିର୍ବାଚନ ଜିତିବାକୁ ପଡ଼ିବ। କ୍ଷମତାକୁ ଆସିବା ପାଇଁ ହେଲେ ଯାହା କରିବାକୁ ହେବ, ତାହା ଅଲ୍‌ବତ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। କଂଗ୍ରେସ ପୁନରୁଦ୍ଧା ସମ୍ପର୍କରେ ମତ ରଖି ସେ କହିଛନ୍ତି, ଜାନକୀ ବାବୁ ଓ ବସନ୍ତବାବୁଙ୍କ ଯୋଡ଼ି ଯଦି ସୁବର୍ଣ୍ଣ ଥିଲା, ତାହାହେଲେ ବର୍ତ୍ତମାନର ସେ ଯୋଡ଼ି କିଏ | ମୁଁ ବର୍ତ୍ତମାନ ଯାହାକୁ ଦେଖୁଛି, ସିଏ ବି-ଯୋଡ଼। ମୁଁ ଖବରକାଗଜ ଲୋକ ଓ ପୂର୍ବତନ କଂଗ୍ରେସ ନେତା ହିସାବରେ ନାମ ନେବା ପାଇଁ ଚାହୁଁନାହିଁ। ବର୍ତ୍ତମାନ କେହି କାହା ସହିତ ରହିଥିଲା ପରି ମନେ ହେଉନାହିଁ। ଏପରିସ୍ଥିତିରେ ଗଣମାଧ୍ୟମ କଥା ନକହିବା ଭଲ। ଗଣମାଧ୍ୟମ ଏବେ ସଙ୍କୁଚିତ ହୋଇ ରହିଛି। କେହି କାହା ସହିତ ପଡ଼େ ନାହିଁ। କେହି କାହା ଛାଇରେ ବାଟ ଚାଲିବାକୁ ଚାହାନ୍ତି ନାହିଁ। ଓଡ଼ିଶାର ୫ଟି ଗଣମାଧ୍ୟମ ଏକାଠି ହୋଇଗଲେ, ମନ୍ତ୍ରିମଣ୍ଡଳ ଉତ୍ତରଦାୟି ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

 

Breaking News