Report Card Odisha

| Daily Odia News

ଥାନାକୁ ଆସୁଥିବା ପ୍ରତିଟି ଲୋକଙ୍କୁ ଭଲ ବ୍ୟବହାର କର…..

Soumendra Priyadarshi

ରିପୋର୍ଟ କାର୍ଡ / ଭୁବନେଶ୍ବର

କ୍ରାଇମ କଣ୍ଟ୍ରୋଲ ଦିଗରେ ଅଧିକ କ୍ରିୟାଶୀଳ ହେବାକୁ କମିଶନରେଟ ପୋଲିସ ପକ୍ଷରୁ ହୋଇଥିବା ସମୀକ୍ଷା ବୈଠକରେ ଗୁରୁମନ୍ତ୍ର ଦେଇଛନ୍ତି ପୋଲିସ କମିଶନର । ସାଇବର ଅପରାଧ, ଟ୍ରାଫିକ ସମସ୍ୟା, ପ୍ରପର୍ଟି ଅଫେନ୍ସ ଆଦି କ୍ଷେତ୍ରରେ ପୂର୍ବ ବର୍ଷ ତୁଳନାରେ ଏବର୍ଷ ସଫଳତା ପାଇଛି କମିଶନରେଟ ପୋଲିସ । ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗୁରୁମନ୍ତ୍ର ଦେଇ କହିଛନ୍ତି, ଥାନାକୁ ଆସୁଥିବା ପ୍ରତିଟି ଲୋକଙ୍କୁ ଭଲ ବ୍ୟବହାର କର। ଆଚରଣରେ ପରିବର୍ତ୍ତନ ଆଣ ଓ ଅଭିଯୋଗକାରୀଙ୍କ କଥା ଶୁଣ। ସେମାନେ ଥାନାରୁ ନିରାଶ ହୋଇ ନ ଫେରନ୍ତୁ ଏବଂ ସେମାନଙ୍କ ପ୍ରତି ପୁଲିସ ଖରାପ ବ୍ୟବହାର କରିଛି ବୋଲି ଅଭିଯୋଗ ନ ଆସୁ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଥାନାରେ ମାମଲାରେ ଦଣ୍ଡ ବିଧାନକୁ ଗୁରୁତ୍ୱ ଦିଆଯାଇଛି। ଉଚ୍ଚକୋଟିର ତଦନ୍ତ ଓ ତୁରନ୍ତ ଚାର୍ଜସିଟ ଦାଖଲ ଯୋଗୁ ଅପରାଧୀଙ୍କୁ ସଜ୍ଜା ଦିଆଯାଇପାରୁଛି। ଇରାନୀ ଗ୍ୟାଙ୍ଗ, ବାୱରିଆ ଗ୍ୟାଙ୍ଗ, ବାଉଁଶର ଗ୍ରୁପକୁ କାବୁ କରିବା ସହ ପ୍ରପର୍ଟି ଅଫେନ୍ସ କ୍ଷେତ୍ରରେ ପୁଲିସ ପାଇଛି ସଫଳତା । ଗୁରୁତ୍ବପୂର୍ଣ୍ଣ ମାମଲାଗୁଡ଼ିକର ସୁପରଭିଜନ୍ କରିବା ପାଇଁ ମଧ୍ୟ ଜୋନାଲ୍ ଏସିପିମାନଙ୍କୁ କୁହାଯାଇଛି। ବିଭିନ୍ନ ଥାନା ଅଞ୍ଚଳରେ ହତ୍ୟା, ଲୁଟ୍, ରାହଜାନି ଭଳି ଯେଉଁ ପୁରୁଣା ମାମଲା ପଡ଼ି ରହିଛି, ସେଗୁଡ଼ିକର ତଦନ୍ତ ସାରିବା ପାଇଁ ମଧ୍ୟ ଥାନା ଆଇଆଇସିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର୍‌। ଟ୍ରାଫିକ ଏନ୍ଫୋର୍ସମେଣ୍ଟକୁ ମିଟିଂରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଗାଡ଼ି ଯଦି ୫ ଥର ନିୟମ ଉଲ୍ଲଙ୍ଘନ କଲା, ତେବେ ଗାଡ଼ି ମାଲିକଙ୍କ ବିରୋଧରେ ଫୋଜଦାରୀ ମାମଲା ରୁଜୁ କରିବ ପୋଲିସ । ସେହିପରି ସାଇବର ମାମଲା ରାଜଧାନୀରେ ବଢୁଛି। ଏହାକୁ ରୋକିବା ପାଇଁ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ ହେଉଛି । ସେପଟେ ନିଶା କାରବାର ରୋକିବା ଓ ସରକାରୀ କ୍ବାର୍ଟରରେ ଚାଲିଥିବା ଦଖଲକୁ ରୋକିବା ପାଇଁ ଟିମ ଗଠନ ହୋଇଥିବା କହିଛନ୍ତି କମିଶନର। ରାତିରେ ଫେରୁଥିବା କର୍ମଜୀବୀ ମହିଳା, ପବ୍ଲିକ ଟ୍ରାନ୍ସପୋର୍ଟରେ ଯାତ୍ରୀଙ୍କ ସୁରକ୍ଷା, ହୋଟେଲକୁ ଆସୁଥିବା ଅତିଥିଙ୍କ ସମ୍ପର୍କରେ ଧ୍ୟାନ ଦେବାକୁ ମଧ୍ୟ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

 

 

Breaking News