ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତାଚ୍ଛଲ୍ୟ କରିଛନ୍ତି ନୱାଜ ଶରିଫଙ୍କ ଝିଅ ତଥା ପାକିସ୍ତାନ ମୁସଲିମ ଲିଗ ନୱାଜର ବରିଷ୍ଠ ଉପ ସଭାପତି ମରିୟମ ଶରିଫ। ଇମ୍ରାନ ଖାନଙ୍କ ଦଳ ପିଟିଆକୁ ଜଣଙ୍କ ପରେ ଜଣେ ବରିଷ୍ଠ ନେତା ଅଲବିଦା କହିବାରେ ଲାଗିଛନ୍ତି। ଏଥିପାଇଁ ଇମ୍ରାନଙ୍କ ଖେଳ ଶେଷ ହୋଇଛି ବୋଲି ମରିୟମ କହିଛନ୍ତି। ପାକିସ୍ତାନର ଭେହାରି ଠାରେ ପିଏମଏଲ-ଏନର ଯୁବ ସମ୍ମିଳନୀକୁ ସମ୍ବୋଧନ କରି ସେ ଏପରି କହିଛନ୍ତି। ନିଜର ଭାଷଣରେ ମରିୟମ ଶରିଫ ମେ’ ୯ରେ ଘଟିଥିବା ଘଟଣା କଥା ଉଠାଇଛନ୍ତି। ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ପୂରା ଦେଶର ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ପ୍ରସଙ୍ଗ ଉଠାଇ ସେ ଇମ୍ରାନଙ୍କୁ ଟାର୍ଗେଟ କରିଛନ୍ତି। ଇମ୍ରାନ ଖାନଙ୍କ ପାର୍ଟିର ଖେଳ ନେତାଙ୍କ ଇସ୍ତଫା ପରେ ଶେଷ ହୋଇଛି। ଦଳ ଛାଡ଼ିବା ପାଇଁ ଏବେ ନେତାମାନେ ଲାଇନ ଲଗାଇଛନ୍ତି ବୋଲି ସେ କହିଛନ୍ତି। ମେ’ ୯ ଘଟଣା ପରେ ସୁରକ୍ଷାକର୍ମୀମାନେ ପିଟିଆର ନେତା ଓ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଏଥିପାଇଁ ଜଣଙ୍କ ପରେ ଜଣେ ନେତା ପିଟିଆଇକୁ ଅଲବିଦା କହିବାରେ ଲାଗିଛନ୍ତି। ମେ’୯ରୁ ଇତି ମଧ୍ୟରେ ପ୍ରାୟ ୭୦ ଜଣ ଆଇନଜୀବୀ ଓ ନେତା ପିଟିଆଇ ସହ ସମ୍ପର୍କଚ୍ଛିନ୍ନ କରି ସାରିଲେଣି। ମରିୟମ କହିଛନ୍ତି, “ଯେତେବେଳେ ଦଳର ନେତା ଗୋଟିଏ ବିଲୁଆ, ସେଠି ନେତାମାନେ କେମିତି ଛିଡ଼ା ହେବେ | ମେ’ ୯ ଘଟଣାର ମାଷ୍ଟରମାଇଣ୍ଡ ଇମ୍ରାନ ଖାନ ବୋଲି ତାଙ୍କରି ଲୋକମାନେ କହିବା ଆରମ୍ଭ କଲେଣି। ଇମ୍ରାନ ଆତଙ୍କରାଜ କରିଥିବା ବେଳେ ତାଙ୍କ କର୍ମୀମାନେ ଆତଙ୍କବାଦ ନିରୋଧ କୋର୍ଟର ସମ୍ମୁଖୀନ ହେଉଛନ୍ତି। ଏବେ ଆଉ କିଛି କରିବାର ନାହିଁ। ଇମ୍ରାନ ଖାନଙ୍କ ଖେଳ ଖତମ ହୋଇଛି।”






More Stories
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……
ଆଜି ବଜେଟ୍…..