Report Card Odisha

| Daily Odia News

ଜାଣନ୍ତୁ ନୂଆ ସଂସଦ ଭବନରେ କଣ ବ୍ୟବସ୍ଥା ରହିଛି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଉଦଘାଟନ ହୋଇଛି ଦେଶର ନୂଆ ସଂସଦ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପଣ କରିଛନ୍ତି | ଏହା ଇତିହାସର ନୂଆ ଏକ ଫର୍ଦ୍ଧ ଯୋଡି ହୋଇଯାଇଛି | ନୂଆ ସଂସଦ ଭବନ ୬୪ ହଜାର ୫ ଶହ ବର୍ଗମିଟର କ୍ଷେତ୍ରରେ ନିର୍ମିତ ତ୍ରିକୋଣାକାର । ସଂସଦ ସୌଧ ମୁଖ୍ୟ ପ୍ରବେଶ ଦ୍ବାରାରେ ଖୋଦିତ ହୋଇଛି ଅଶୋକ ଚକ୍ର । ତଳେ ଲେଖାଯାଇଛି ସତ୍ୟମେବ ଜୟତେ । ନୂତନ ପାର୍ଲାମେଣ୍ଟ ଗୃହରେ ରହିଛି ୩ଟି ପ୍ରବେଶ ପଥ । ଯାହାର ନାଁ ରଖାଯାଇଛି ଜ୍ଞାନ ଦ୍ବାର, ଶକ୍ତି ଦ୍ବାର ଓ କର୍ମ ଦ୍ବାର । ୪ ମହଲା ବିଶିଷ୍ଟ ନୂତନ ସଂସଦ ଭବନରେ ହୋଇଛି ୧୨ ଶହ ୭୨ ସାଂସଦଙ୍କ ପାଇଁ ବସିବା ବ୍ୟବସ୍ଥା । ଲୋକସଭାରେ ୮୮୮ ସିଟ୍ ଥିବା ବେଳେ, ରାଜ୍ୟସଭାରେ ରହିଛି ୩୮୪ ଆସନ । ପୁରୁଣା ପାର୍ଲାମେଣ୍ଟଠାରୁ ନୂଆରେ ପ୍ରାୟ ୫ ଶହ ସିଟ୍ ଅଧିକ । ଜାତୀୟ ପକ୍ଷୀ ମୟୂର ଶୈଳୀରେ ଲୋକସଭା ନିର୍ମିତ ହୋଇଛି । ନୂଆ ସଂସଦରେ ପ୍ରତିଟି ସାଂସଦଙ୍କ ସିଟରେ ରହିଛି ମଲ୍ଟି ମିଡିଆ ଡିସପ୍ଲେ । ଯୋଗାଯୋଗ ପାଇଁ ଅଛି ଅତ୍ୟାଧୁନିକ ବ୍ୟବସ୍ଥା । ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହଟ୍ଟଗୋଳ କରିବା ଭଳି ଘଟଣା ଏଡାଇବାକୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି । ଗୃହ ପରିଚାଳନା ଦାୟିତ୍ୱରେ ଥିବା ବାଚସ୍ପତିଙ୍କ ଆସନ ବହୁ ଉଚ୍ଚରେ ରଖାଯାଇଛି । ପ୍ରାୟ ୧ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ଅଟ୍ଟାଳିକା । ମାତ୍ର ଅଢେଇ ବର୍ଷରେ ନିର୍ମାଣ ଶେଷ କରିଛି ଟାଟା ପ୍ରୋଜେକ୍ଟସ ଲିମିଟେଡ୍ । ଅତ୍ୟାଧୁନିକ ସୁବିଧାଯୁକ୍ତ ଏହି ସୌଧ ପରିବେଶ ଅନୁକୂଳ ଏବଂ ଭୂକଂପ ପ୍ରତିରୋଧୀ । ନୂତନ ପାର୍ଲାମେଣ୍ଟ ବିଲ୍ଡିଂ ଲୋକାର୍ପଣ ପରେ ପୂରାତନ ସଂସଦ ଗୃହକୁ ଗଣତନ୍ତ୍ରର ସଂଗ୍ରହାଳୟରେ ପରିଣତ କରାଯିବ ।

Breaking News