ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ମଣିପୁରରେ ହିଂସା ଥମୁ ନାହିଁ। ରାଜ୍ୟରେ ଲାଗି ରହିଥିବା ଜାତିଆଣ ହିଂସାରେ ୩ଜଣ ଯବାନ ସହିଦ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍)ର ଜଣେ ଯବାନ ଥିବାବେଳେ ଆସାମ ରାଇଫଲ୍ସର ୨ଜଣ ଯବାନ ଅଛନ୍ତି। ମଙ୍ଗଳବାର ଭୋର ସମୟରେ କାକଚିଙ୍ଗ ଜିଲାର ସେରୋଉ ଅଞ୍ଚଳରେ କୁକି ଉଗ୍ରବାଦୀଙ୍କ ସହିତ ଗୁଳିବିନିମୟ ବେଳେ ଏହି ତିନି ଜଣ ଯବାନ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ମୃତ୍ୟୁ ହୋଇଛି। ବିଏସଏସ୍ ଅଧିକାରୀଙ୍କ କହିବା ଅନୁଯାୟୀ ସେରୋଉ ପ୍ରାକ୍ଟିକାଲ ହାଇସ୍କୁଲ ଅଞ୍ଚଳରେ ମୁତୟନ ଯବାନଙ୍କ ଉପରକୁ କୁକି ଉଗ୍ରବାଦୀମାନେ ଅଚାନକ ଗୁଳି ଚଳାଇଥିଲେ। ଏଥିରେ ଯବାନ ରଞ୍ଜିତ ଯାଦବ ଗୁରୁତର ହୋଇଥିଲେ। ତାଙ୍କୁ କାକଚିଙ୍ଗସ୍ଥିତ ଜୀବନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା; ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଦିମାପୁରସ୍ଥିତ ସେନାର ସ୍ପିୟର କ୍ରପସ୍ କମାଣ୍ଡର ମୁଖ୍ୟାଳୟ କହିବା ଅନୁଯାୟୀ କୁକି ଉଗ୍ରବାଦୀଙ୍କ ସହିତ ଗୁଳିବିନିମୟରେ ଆସାମ ରାଇଫଲ୍ସର ଦୁଇଜଣ ଯବାନ ଗୁରୁତର ହୋଇଥିଲେ। ସେମାନଙ୍କୁ ହେଲିକପ୍ଟର ଯୋଗେ ମାତ୍ରିପୁଖରିକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଯବାନଙ୍କର ମୃତ୍ୟୁ ହୋଇଛି।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….