ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏବେ ପେଟ୍ରୋଲ ଲିଟର ପିଛା ଶହେ ଟଙ୍କାରୁ ଅଧିକ ଥିବା ବେଳେ ଏହା ସାଧାରଣ ଲୋକଙ୍କୁ ବାଧୁଛି | ଏହାକୁ ନେଇ ଉପାୟ କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । କିଛି ସରଳ ଉପାୟ ଅବଲମ୍ବନ କଲେ ପେଟ୍ରୋଲ ଲିଟର ପିଛା ୧୫ ଟଙ୍କାରେ ମିଳି ପାରିବ ବୋଲି ବି କହିଛନ୍ତି। ଇଥାନଲ ଓ ବିଦ୍ୟୁତ୍ ଶକ୍ତିର ବ୍ୟବହାର କରାଗଲେ ତାହା ପେଟ୍ରୋଲର ବିକଳ୍ପ ଭାବେ କାମ କରିବ। ଫଳରେ ପେଟ୍ରୋଲର ଆମଦାନୀ ନିମନ୍ତେ ଆମକୁ ଆଉ ବାହାର ଦେଶ ଉପରେ ନିର୍ଭର କରିବାକୁ ପଡ଼ିବନି ଓ ଆପେଆପେ ଏହାର ଦାମ୍ ଆଶାତୀତ ଭାବେ ଖସିଯିବ ବୋଲି କହିଛନ୍ତି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ରାଜସ୍ଥାନର ଉଦୟପୁରରେ ୫,୬୦୦ କୋଟି ଟଙ୍କାର ୧୧ଟି ଜାତୀୟ ରାଜପଥ ନିର୍ମାଣର ଶୁଭାରମ୍ଭ କରିବା ଅବସରରେ ଏପରି କହିଛନ୍ତି । ସେଠାରେ ସେ ସାଧାରଣ ସଭାରେ ଉଦ୍ବୋଧନ ଦେଇ ଦେଶବାସୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଛନ୍ତି। ନୀତିନ ଗଡକରୀ ନିଜ ଅଭିଭାଷଣରେ କହିଛନ୍ତି,ବର୍ତ୍ତମାନ କୃଷକ ଦେଶର ଖାଦ୍ୟ ଯୋଗାଣକାରୀ ହୋଇଥିବା ବେଳେ ଭବିଷ୍ୟତରେ ସେମାନେ ଶକ୍ତି ଯୋଗାଣକାରୀ ମଧ୍ୟ ହେବେ । ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଇଥାନଲ ଓ ବିଦ୍ୟୁତ୍ ଶକ୍ତି ବ୍ୟବହାର କରି ଶକ୍ତି ଯୋଗାଣକାରୀ ହୋଇପାରିବେ । ୬୦% ଇଥାନଲ ଓ ୪୦% ବିଦ୍ୟୁତ୍ରେ ଚାଲିବ ଗାଡ଼ି । ଅଗଷ୍ଟ ମାସରେ ଟୟୋଟା କମ୍ପାନୀର ଗାଡି ଲଞ୍ଚ ହେବ । ଚାଷୀମାନେ ପ୍ରସ୍ତୁତ କରୁଥିବା ଇଥାନଲରେ ଚାଲିବ ଏହି ଗାଡ଼ି । ଏହା ପ୍ରଦୂଷଣକୁ ବହୁ ମାତ୍ରାରେ ରୋକିବାକୁ ସମ୍ଭବ ହେବ । ଏଥିସହ ପେଟ୍ରୋଲ ଓ ଡିଜେଲ ନିମନ୍ତେ ବାହାର ରାଷ୍ଟ୍ର ଉପରେ ଆମର ନିର୍ଭରଶୀଳତା ଆପେ ଆପେ କମିଯିବ । ଫଳରେ ପ୍ରତିବର୍ଷ ଆମ ଦେଶକୁ ୧୬ ଲକ୍ଷ କୋଟି ଟଙ୍କାର ପେଟ୍ରୋଲ ଆମଦାନୀ ହେଉଥିବା ବେଳେ ତାହାକୁ ରୋକା ଯାଇ ପାରିବ। ଆଉ ସେହି ଟଙ୍କା କୃଷକଙ୍କ କାମରେ ଲାଗିବ ବୋଲି କହିଛନ୍ତି ।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..