Report Card Odisha

| Daily Odia News

ଖାର୍ତୂମ୍‌ରେ ବିମାନ ଆକ୍ରମଣ, ୨୨ ମୃତ୍ୟୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୁଦାନର ରାଜଧାନୀ ଖାର୍ତୂମ୍‌ରେ ସୁଦାନ୍‌ ସେନାର ବିମାନ ଆକ୍ରମଣ ଯୋଗୁ ଅନ୍ୟୂନ ୨୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆହୁରି ଅନେକ ଆହତ ହୋଇଥିବା କଥା ପ୍ରତ୍ୟକ୍ଷଦର୍ଶୀ ଓ ସରକାରୀ ଅଧିକାରୀମାନେ କହିଛନ୍ତି। ଶନିବାର ପ୍ରତ୍ୟୁଷରେ ରାଜଧାନୀ ଖାର୍ତୂମ୍‌ ନିକଟ ନୀଳନଦୀର ଅପରପାର୍ଶ୍ବ କୂଳ ଅନ୍ତର୍ଗତ ଓମ୍‌ଦୁର୍‌ମାନ୍‌ ଜିଲ୍ଲାର ଦର୍‌-ଏସ୍‌-ସଲାମ୍‌ରେ କରାଯାଇଥିବା ଏହି ବିମାନ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଅଛନ୍ତି କେତେକ ମହିଳା ଓ ପିଲା। ଜଣେ ଖାର୍ତୂମ୍‌ ସରକାରୀ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି, ଶନିବାର ବିମାନ ଆକ୍ରମଣରେ ଅନ୍ୟୂନ ୨୨ଜଣଙ୍କର ପ୍ରାଣହାନୀ ଘଟିଛି। କିନ୍ତୁ, ମୃତ୍ୟୁସଂଖ୍ୟା ୩୧ ବୋଲି ଜାରି କରିଥିବା ବିବୃତିରେ ‘ଆର୍‌ଏସ୍‌ଏଫ୍‌’ କହିଛି। ଏହାଛଡ଼ା, ଏହି ବିମାନ ଆକ୍ରମଣ ଯୋଗୁଁ ବହୁସଂଖ୍ୟକ ଘରଦ୍ବାର ଧ୍ବଂସ ହୋଇଯାଇଥିବା କଥା ବି ସେଥିରେ ‘ଆର୍‌ଏସ୍‌ଏଫ୍‌’ ଉଲ୍ଲେଖ କରିଛି। ସ୍ମରଣଯୋଗ୍ୟ, ରାଜଧାନୀକୁ ଅକ୍ତିଆର କରିବା ଲାଗି ଗତ ଏପ୍ରିଲ୍‌ ମାସଠାରୁ ଦେଶର ସେନା ଓ ପାରାମିଲିଟାରି ଫୋର୍ସଙ୍କ ମଧ୍ୟରେ ସଂଘର୍ଷ ଚାଲିଛି। ଦେଶର ଭବିଷ୍ୟତ ସଂକ୍ରାନ୍ତରେ ସେନାମୁଖ୍ୟ ଜେନେରାଲ୍‌ ଅବ୍‌ଦେଲ୍‌ ଫତାହ ଅଲ୍‌-ବୁର୍‌ହାଁ ଏବଂ ‘ରାପିଡ୍‌ ସପୋର୍ଟ ଫୋର୍ସେସ୍‌’ର (ଆର୍‌ଏସ୍‌ଏଫ୍‌) ମୁଖ୍ୟ ଜେନେରାଲ୍‌ ମହମ୍ମଦ୍‌ ହାମ୍‌ଦାନ୍‌ ଦାଗାଲୋଙ୍କ ମଧ୍ୟ‌ରେ ମନାନ୍ତର ହେବାରୁ ସଂଘର୍ଷ ଆରମ୍ଭ ହୋଇଥିଲା। ଏହି ହିଂସାକାଣ୍ଡ ଯୋଗୁଁ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ବିବ୍ରତ ହୋଇ କହିଛନ୍ତି ଯେ, ଏହି ସଂଘର୍ଷ ବଡ଼ଧରଣର ଗୃହଯୁଦ୍ଧ ପାଲଟି ଯାଇ ସମଗ୍ର ଅଞ୍ଚଳ ପ୍ରତି ଅସ୍ଥିରତାର କାରଣ ହୋଇପାରେ। ଯୁଦ୍ଧ ବନ୍ଦ କରି ସାଧାରଣ ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ସେ ଉଭୟ ପକ୍ଷଙ୍କୁ ନିବେଦନ କରିଛନ୍ତି।

 

 

 

 

 

 

 

 

 

 

Breaking News